ଆଉରଙ୍ଗଜେବ୍: ନାୟକ ନା ଖଳନାୟକ- ଏକ ଐତିହାସିକ ଅଧ୍ୟୟନ

ମୂଳ ରଚନା- ଆଉଡ୍ରେ ଟ୍ରୁସକେ

ଅନୁସୃଜନ- ଜ୍ୟୋତି ନନ୍ଦ

ତଥାକଥିତ “ଗ୍ରାଣ୍ଡ ମୋଗଲ”ଶ୍ରେଣୀର କହିବାକୁ ଗଲେ ଶେଷ ପ୍ରତିନିଧି ଆଉରଙ୍ଗଜେବ୍ ନିଜ ସମୟର ଘଡିଟିକୁ ପଛେଇଦେବାକୁ ଚାହିଁଥିଲେ ଓ ଏହି ପ୍ରକ୍ରୀୟାରେ ଘଡିଟି ବଂଦ ଓ ଧ୍ୱଂସ ହୋଇଯାଇଥିଲା। (ପଣ୍ଡିତ ଜବାହାରଲାଲ ନେହେରୁ)

୨୦୧୫ ସାଲଟି ଆଉରଙ୍ଗଜେବ ଙ୍କ ପାଇଁ ଅଶୁଭ ଥିଲା। ଏଇ ବର୍ଷ ଦିଲ୍ଲୀର ଗୋଟିଏ ପ୍ରମୁଖ ରାସ୍ତା ଯାହା ଏହି ମୋଗଲସମ୍ରାଟ ଙ୍କ ନାଆଁରେ ନାମିତ ହୋଇରହିଥିଲା ତାହାର ନାଆଁକୁ ପରିବର୍ତ୍ତନ କରିବା ପାଇଁ ଏକ ବଡ ଧରଣର ବିତର୍କ ଆରମ୍ଭ ହୋଇଥିଲା।ଏହାର କାରଣ ହିସାବରେ ଗୋଟିଏ ସ୍ଥାନୀୟ ଶିଖ ଦଳ ଏଇ ଧାରଣାଟି ଉପସ୍ଥାପନ କରିଥିଲେ ଯେ ଆଉରଙ୍ଗଜେବ୍ ହେଉଛନ୍ତି “ଭାରତରେ ଅସହିଷ୍ଣୁତା ଓ ଅମାନବୀୟ ବର୍ବରୋଚିତ ଅପରାଧ ର ଜଣେ ଅତ୍ଯନ୍ତ ଉତ୍ପୀଡକ କ୍ଳେଶପ୍ରଦାୟକ କୁକୃତ୍ୟକାରୀ ନରପତି”। ଭାରତୀୟ ଜନତା ପାର୍ଟିର କିଛି ସାଂସଦ ଏହି ଉଦ୍ୟମରେ ତତକ୍ଷଣାତ୍ ଯୋଗଦେଇ ଦିଲ୍ଲୀ ଇତିହାସର ଏଇଭଳି ଦୁଃଖଦ ପୃଷ୍ଟାଟିକୁ ଅପସାରଣ କରିବା ଅର୍ଥାତ୍ ଏହି ଦୁଷ୍କୃତ୍ୟକାରୀ ସମ୍ରାଟ ଙ୍କ ନାଆଁଟିକୁ ସହରର ରାସ୍ତାଲେଖରୁ ହଠାଇ ଦେବାକୁ ସ୍ୱର ଉତ୍ତୋଳନ କରିଥିଲେ। ୨୦୧୫ ଅଗଷ୍ଟ ମାସ ଶେଷ ଆଡକୁ ନୂଆଦିଲ୍ଲୀର ପ୍ରଶାସନ ଏଥିରେ ସମ୍ମତ ହୋଇ ରାସ୍ତାଟିକୁ ଭାରତର ଏକାଦଶତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ନାଆଁରେ ନାମିତ କରିଦେଲେ। ତାହାର ସପ୍ତାହକ ପରେ ରାତିଅଧରେ କିଛି ସହରର କର୍ମଚାରୀ ଆସି ରାସ୍ତାର ଫଳକକୁ ଖୋଳିଖୋଳି ଆଉରଙ୍ଗଜେବ୍ ଙ୍କ ନାଆଁ ଲିଭାଇଦେଇଥିଲେ।

ଏଇ ଭଳି ଘଟଣାମାନ ଭାରତୀୟ ସମାଜରେ ସ୍ମୃତିଭ୍ରଂଶରେ ରହିଥିବା ଆଉରଙ୍ଗଜେବଙ୍କୁ ଭାରତୀୟ ମାନଙ୍କ ମାନସପଟଳରେ ସଭା ଆଗରେ ପୁନର୍ବାର ସଂସ୍ଥାପନ କରିଦେଲା।ଠିକ୍ ସେତିକି ବେଳେ ଏହି ଘଟଣା ଘଟିବାର ପ୍ରାୟ ମାସକ ପରେ ୨୦୧୫ ର ଅକ୍ଟୋବର ରେ ଜଣେ ଶିବସେନା ସାଂସଦ ଜଣେ ପୌରକର୍ମଚାରୀଙ୍କୁ ଗାଳି ଦେଉଥିବାର “ଟେପ୍”ଟିଏ ପ୍ରଘଟ ହୋଇଥିଲା।ସାଂସଦ ଜଣକ ସେଇ “ଟେପ୍”ରେ “ଆଉରଙ୍ଗଜେବ୍ କି ଔଲାଦ୍” ବୋଲି ଗାଳି ଦେଉଥିବାର ଶୁଣାଯାଉଥିଲା।ଏହି ଗାଳିଟି ମନେପକାଇଦେଲା ଅଶିଦଶକର ଶେଷ ଓ ନବେଦଶକର ଆଦ୍ୟଭାଗର ଗୋଟିଏ ଜଣାଶୁଣା ଗାଳି “ବାବର୍ କି ଔଲାଦ୍”। ଦକ୍ଷିଣପନ୍ଥୀ ହିନ୍ଦୁତ୍ୱବାଦୀ ବିଶୃଙ୍ଖଳିତ ଜନତା ସେହି ସମୟରେ ଯେଉଁ ଘଟଣାକ୍ରମରେ ବାବରି ମସଜିଦ୍ କୁ ଧ୍ୱଂସ କରିଦେଇଥିଲେ ସେତିବେଳେ ଏହି ଗାଳିଟିର ଉପଲକ୍ଷ ଥିଲେ ଭାରତର ମୁସଲମାନ୍ ।ତେଣୁ ଦେଖିବାର କଥା ହେଉଛି କାହିଁକି ବାବର୍ ବଦଳିଗଲେ ଆଉରଙ୍ଗଜେବ ରେ ?

ବିଭେଦକାରୀ ହିନ୍ଦୁ ଜାତୀୟବାଦୀ ଦୃଷ୍ଟିରେ ଦେଖିଲେ ଜଣେ ଅତ୍ୟାଚାରୀ ମୁସଲମାନ ଆକ୍ରମଣକାରୀ ହିସାବରେ ଉଭୟ ବାବର ଆଉ ଆଉରଙ୍ଗଜେବ୍ କିଛି ପରିମାଣରେ ପରସ୍ପରର ଅଦଳବଦଳର ଯୋଗ୍ୟ।ଏହି ଦୃଷ୍ଟିରୁ ଆଉରଙ୍ଗଜେବ ହୋଇଯାଇଛନ୍ତି ଭାରତର ଅପ୍ରୀତିକର ଅତୀତର ଅପରାଧ ସହ ଜଡିତ ଥିବା ତଥାକଥିତ ସମଗ୍ର “ପାରଂପାରିକ ମୁସଲମାନ”ଙ୍କର ବିଶିଷ୍ଟ ଏକ ପ୍ରତୀକ ଏବଂ ତଦନୁସାରେ ଭାରତର ବର୍ତ୍ତମାନରେ ଅନିମନ୍ତ୍ରୀତ।ତେଣୁ ଆଉରଙ୍ଗଜେବ୍ ଜଣେ ନିହାତି ଧର୍ମପ୍ରାଣ ମୋଗଲ ନରପତି ବୋଲି କଥାଟି ଆଦୌ ଆନୁସଂଗିକ ନୁହଁ। ଆଉରଙ୍ଗଜେବ ତେଣୁ ଉଭୟ ଅତୀତ ଓ ବର୍ତ୍ତମାନ ର ସମସ୍ତ ଅତ୍ୟୁତ୍ସାହୀ ମୁସଲମାନ ମାନଙ୍କର ଏକ ଭବ୍ୟ ଉଦାହାରଣ ଆକାର ରେ ରହିଗଲେ, ଯେଉଁମାନେ କେବଳ ନିଜର ଧାର୍ମିକ ଆଚରଣ ଦ୍ୱାରା ଭାରତୀୟ ସମାଜର ତଥାକଥିତ କ୍ଷତି କରିବାର ଭୟ ଦେଖାଉଥିଲେ। ଏହି ସୂତ୍ର ଅନୁସାରେ ଭାରତୀୟ ଓ ହିନ୍ଦୁ ସଂସ୍କୃତି ଉଭୟ ଗୋଟିଏ ଅବରୁଦ୍ଧ ଏକକରେ ରୂପାନ୍ତରିତ ହୋଇଯାଉଛି,ଯେଉଁଠି ଅନ୍ୟ ସବୁ ଧର୍ମ ସଂପ୍ରଦାୟ ପାଇଁ କୌଣସି ସ୍ଥାନ ରହୁନାହିଁ।

 

କିନ୍ତୁ ଏହା ସହିତ ଭାରତର ଯେତେକ ତିରସ୍କୃତ ନରପତି ଅଛନ୍ତି ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଓ ଈର୍ଷାହୀନ ସ୍ଥାନର ଅଧିକାରୀ ହେଉଛନ୍ତି ଆଉରଙ୍ଗଜେବ୍। ବିଜେପି ଦଳର ବିଚାରଧାରା ତଥା ତାହାର ସମଭାବାପନ୍ନ ହିନ୍ଦୁ ଜାତୀୟବାଦୀ ଦଳର ସମର୍ଥକ ନହୋଇ ବି ସାଧାରଣ ମତ ରେ ଆଉରଙ୍ଗଜେବ ଙ୍କୁ ଭାରତର ସବୁକିଛିକୁ ତଥା ବିଶେଷତଃ ହିନ୍ଦୁ ମାନଙ୍କୁ ଘୃଣା କରୁଥିବା ଜଣେ ନିର୍ମମ ଇସଲାମୀୟ ଅତ୍ୟାଚାରୀ ହିସାବରେ ଅପରାଧୀର କାଠଗଡାରେ ଛିଡା କରାଯାଇଥାଏ।ସୀମା ଆରପଟେ ପାକିସ୍ଥାନରେ ମଧ୍ୟ ଅନେକେ ଆଉରଙ୍ଗଜେବ ଙ୍କ ମନ୍ଦବୁଦ୍ଧି ତଥା ଦକ୍ଷିଣ ଏସିଆର ସାଂପ୍ରତିକ ଯାତନା ପାଇଁ ଏହା ଦାୟୀ ବୋଲି ମତର ସମର୍ଥନ କରିଥାଆନ୍ତି।ଶହିଦ ନାଦୀମ୍ ବୋଲି ଜଣେ ପାକିସ୍ଥାନୀ ନାଟ୍ୟକାର ନିକଟରେକହିଥିଲେ, “ଆଉରଙ୍ଗଜେବଙ୍କର ତାଙ୍କ ଭାଇ ଦାରା ସିକୋହ୍ ଙ୍କ ଉପରେ ବିଜୟ ଦିନଠାରୁ ହିଁ ଭାରତର ବିଭାଜନର ମଂଜି ବୁଣାହୋଇଥିଲା”।ଏହା ହାସ୍ୟକର ଭାବରେ ଦୂରଦର୍ଶୀ,ସେଇଥି ପାଇଁ ଅନେକେ ଏହାକୁ ଗ୍ରହଣ କରନ୍ତି ନାହିଁ।

ପାକସ୍ଥାନୀ ନାଟ୍ୟକାର ଶହିଦ ଙ୍କ ଏହିଭଳି ମତର ଆଦ୍ୟ ସ୍ୱରଟି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଲେଖାରେ ଦେଖାଯାଏ।ଆଧୁନିକ ଭାରତର ନିର୍ମାତା ପଣ୍ଡିତ ନେହେରୁ ଏମିତିରେ ଆଉରଙ୍ଗଜେବ ଙ୍କର ସମର୍ଥକ ନଥିଲେ।ପଣ୍ଡିତ ନେହେରୁ ତାଙ୍କର “ଭାରତ ଆବିଷ୍କାର(୧୯୪୬) ପୁସ୍ତକରେ ଆଉରଙ୍ଗଜେବ ଙ୍କର ଉଦ୍ଦେଶ୍ୟମୂଳକ ଭ୍ରାନ୍ତିଗୁଡିକର ବିଶଦ ବିବରଣୀ ଦେବା ସହ ତାଙ୍କୁ ଜଣେ “ଧର୍ମାନ୍ଧ ଓ ଆତ୍ମସଂଜମୀ ନିଷ୍ଠାପର ଧାର୍ମିକ”ବୋଲି କହିଛନ୍ତି।ସେ ଏହି ଷଷ୍ଠ ମୋଗଲ ସମ୍ରାଟଙ୍କୁ “ସମୟକୁ ପଛୁଆ କରିଦେବା”ର ଷଡଯନ୍ତ୍ର କରି ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରି ଦେଇଛନ୍ତି ବୋଲି ତୀବ୍ର ଭାଷାରେ ଭର୍ତ୍ସନା କରିଛନ୍ତି।ପଣ୍ଡିତ ନେହେରୁଙ୍କର ଆଉରଙ୍ଗଜେବଙ୍କ ଉଦ୍ଦେଶ୍ୟରେ ସବୁଠାରୁ ନିନ୍ଦନୀୟ ବକ୍ତବ୍ୟଟି ଥିଲା ଜଣେ କଠୋର ମୁସଲମାନ ରୂପରେ ଆଉରଙ୍ଗଜେବ୍ ଙ୍କର ଜଣେ ଭାରତୀୟ ସମ୍ରାଟ ହୋଇନପାରିବାର କଥା।”ଯେତେବେଳେ ଆଉରଙ୍ଗଜେବ୍ ଅନ୍ୟ ମୋଗଲ ସମ୍ରାଟ ମାନଙ୍କର ଅନୁସୃତ ଅନ୍ୟ ଧର୍ମ ପ୍ରତି ସହିଷ୍ଣୁତାକୁ ବିରୋଧ କଲେ ଏବଂ ଦମନ କଲେ ସେତେବେଳେ ସେ କେବଳ ଜଣେ ସଚ୍ଚା ମୁସଲମାନ ହିସାବରେ କାର୍ଯ୍ୟ ନିର୍ବାହ କରୁଥିଲେ,ଜଣେ ଭାରତୀୟ ରାଜା ହିସାବରେ ନୁହଁ ଓ ତାହାର ପରିଣାମ ସ୍ୱରୂପ ମୋଗଲ ଶାସନର ଅନ୍ତ ଘଟିଥିଲା”। ପଣ୍ଡିତ ନେହେରୁଙ୍କ ଦୃଷ୍ଟିରେ ଆଉରଙ୍ଗଜେବଙ୍କ ଇସଲାମ୍ ଆସକ୍ତି ତାଙ୍କର ଭାରତକୁ ଶାସନ କରିବାର ଦକ୍ଷତାକୁ ବିକଳାଙ୍ଗ କରିଦେଇଥିଲା।

ନେହେରୁଙ୍କର ଏହିଭଳି ଦୃଷ୍ଟିଭଂଗୀଟି ମୌଳିକ ନୁହଁ।ଏହି ଭଳି ମତ ନେହେରୁଙ୍କ ସମସାମୟିକ ତଥା ବିଂଶ ଶତାବ୍ବୀର ଅନ୍ୟତମ ବିଶିଷ୍ଟ ଐତିହାସିକ ସାର୍ ଯଦୁନାଥ ସରକାର୍ ପୋଷଣ କରିଚନ୍ତି ଆଉରଙ୍ଗଜେବଙ୍କ ପ୍ରସଂଗରେ।ବ୍ରିଟିଶ ଉପନିବେଶବାଦୀ ଚିନ୍ତକ ମାନେ ଦୀର୍ଘକାଳ ଧରି ଅନେକ ମୋଗଲମାନଙ୍କର ଦୁର୍ନାମ ର କରିଆସିଛନ୍ତି ଯଥା ସେମାନେ ମାଈଚିଆ,ଅତ୍ୟାଚାରୀ ଓ ମୁସଲମାନ।ସର୍ବପ୍ରଥମେ ୧୭୭୨ରେ ଆଲେକଜାଣ୍ଡାର ଡାଓ ମୋଗଲ ଶାସନର ଏକ ଆଲୋଚନାର ପ୍ରସଂଗରେ କହିଥିଲେ ଯେ,”ମହାପୁରୁଷ ମହମ୍ମଦ ଙ୍କ ବିଶ୍ୱାସ ବିଚିତ୍ରଭାବରେ ସ୍ୱୈରତନ୍ତ୍ର ବୋଲି ପ୍ରଚଳିତ ହେଉଛି ଓ ଏହା ଏଇ ନିର୍ଦ୍ଦିଷ୍ଟ ଶାସନ ବ୍ୟବସ୍ଥାଟି ପ୍ରାଚ୍ୟଦେଶ ଗୁଡିକରେ କେତେ ସମୟ ସଫଳ ହୋଇ ରହିଥିବ ତାହାକୁ ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ କାରଣ “।ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନଟି ବ୍ରିଟିଶ ମାନଙ୍କ ବିଚାରରେ ପରିଷ୍କାର,ଭାରତରେ ବ୍ରିଟିଶ ଶାସନର ସଂସ୍ଥାପନ। ଯଦିଓ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନେ ବ୍ରିଟିଶ ମାନଙ୍କର ଏହି ଉପନିବେଶୀ ତର୍କର ଚୂଡାନ୍ତ ରୂପକୁ ଖାରଜ କରି ଦେଉଥିଲେ,ତଥାପି ବ୍ରିଟିଶ ଉପନିବେଶବାଦର ତର୍କକୁ ପୁରାପୁରି ଆତ୍ମସ୍ଥ କରିନେଇଥିଲେ,ଅର୍ଥାତ୍ ମହାପୁରୁଷ ମହମ୍ଭଦଙ୍କ ବିଶ୍ୱାସଟି ଏଠାରେ ସ୍ୱୈରତନ୍ତ୍ର ଆକାରରେ ପ୍ରଚଳିତ ତେଣୁ ଏଥିରୁ ମୁକ୍ତି ଲୋଡା।ତେଣୁ ଏଇ ଭଳି ବିଚାରଧାରାଟି ଭାରତୀୟ ସମାଜର ବହୁ ସ୍ତରକୁ ପାଠ୍ୟପୁସ୍ତକ ଓ ଗଣମାଧ୍ୟମ ମାର୍ଫତରେ ବ୍ୟାପୀ ଯାଇ ଦୃଢୀଭୂତ ହୋଇ ରହିଛି ଏବଂ ପୁରୁଷ ପୁରୁଷ ଧରି ଏଇ ଉପନିବେଶବାଦୀ ବିଚାରଧାରାଟି ଖାଦ୍ୟ ଓ ପାକୁଳି କରିବାର ରୋଚକ ସ୍ଥିତିରେ ରହିଅଛି ଯେ,ଆଉରଙ୍ଗଜେବ ଜଣେ ଅତ୍ୟାଚାରୀ ଶାସକ ଆଉ ସେ ଅତ୍ୟାଚାରୀ ଶାସକ ହୋଇ ରହିବା ପଛର କେବଳ କାରଣଟି ହେଉଛି ସେ ଜଣେ ଧର୍ମୋନ୍ମାଦ ମୁସଲମାନ।

ଶତାବ୍ଦୀ ଶତାବ୍ଦୀ ଧରି ଅନେକେ ଆଉରଙ୍ଗଜେବଙ୍କ ଧର୍ମାନ୍ଧତା ଓ ଦୁଷ୍କୃତ୍ୟର ଦୁର୍ବଳ ପ୍ରମାଣଭିତ୍ତିକ କାହାଣୀ ମାନ ପ୍ରଚଳନ କରିଆସିଛନ୍ତି। ସାଧାରଣ ଜନସ୍ମୃତିରେ ଆଉରଙ୍ଗଜେବ ଶତସହସ୍ର ହିନ୍ଦୁଙ୍କୁ ହତ୍ୟାକରିଛନ୍ତି ଓ ଶତସହସ୍ର ମଂଦିରକୁ ଧ୍ୱଂସ କରିଛନ୍ତି ବୋଲି ସଂପୂର୍ଣ୍ଣ ଭ୍ରମାତ୍ମକ ଧାରଣା ରହିଅଛି।ଏହି ସାଧାରଣ ବିଶ୍ୱାସଯୋଗ୍ୟ ଘଟଣାର କୌଣସି ତଥ୍ୟାତ୍ମକ ଐତିହାସିକ ସ୍ଥିତି ନାହିଁ,ଯଦିଓ କିଛି ବିଦ୍ୱାନ ମାନେ ଏହି ସବୁ କାହାଣୀର ଏକ ଅଭିଯୋଗଭିତ୍ତିକ ପୃଷ୍ଟଭୂମୀ ପ୍ରସ୍ତୁତ କରିଛନ୍ତି କାହାଣୀକୁ ବିଶ୍ୱାସଯୋଗ୍ୟ କରିବା ପାଇଁ।ଏଇ ସବୁ ଅଧ୍ୟୟନରେ ଆବଶ୍ୟକ ନିରପେକ୍ଷତା ବଦଳରେ ଆଉରଙ୍ଗଜେବ-ବିଦ୍ୱେଷଟି ପରିଷ୍କାର। କହିବାକୁ ଗଲେ ଏଥିରେ ସବାଶେଷରେ କ’ଣ କୁହାଯିବ ତାହା ପୂର୍ବ ନିର୍ଦ୍ଧାରିତ ଖାଲି ମଧ୍ୟବର୍ତ୍ତୀ ଅଂଶଟିକୁ ଗଢାଯାଇଅଛି।ଉଦାହାରଣ ସ୍ୱରୂପ ଆଉରଙ୍ଗଜେବ-ବିଦ୍ୱେଷୀ ମାନେ ଆଉରଙ୍ଗଜେବ କିଛି ନିର୍ଦ୍ଦିଷ୍ଟ ହିନ୍ଦୁ ମନ୍ଦିର କୁ ଧ୍ୱଂସ କରିବା କଥାକୁ ଖୁବ୍ ଜୋରରେ କହିଲା ବେଳେ ସେ ଅନେକ ହିନ୍ଦୁ ମନ୍ଦିରକୁ ସୁରକ୍ଷା ଦେବା ଓ ବ୍ରାହ୍ମଣ ମାନଙ୍କୁ ବୃତ୍ତି ଓ ବ୍ରହ୍ମଦେୟ ଆକାରରେ ଭୂମୀଦାନ ଦେଇଥିବାର ଐତିହାସିକ ପ୍ରାମାଣିକ କଥାକୁ ଉଠାନ୍ତି ନାହିଁ।ସେହି ବିଦ୍ୱାନ ମାନେ ଆଉରଙ୍ଗଜେବ ହୋଲି ପର୍ବକୁ ନିୟନ୍ତ୍ରୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କଥାକୁ କହିଲା ବେଳେ ସେ ମଧ୍ୟ ମହରମ୍ ଓ ଇଦ୍ ଭଳି ପର୍ବର ପାଳନକୁ ଯେ କଠୋରଭାବରେ ଦମନ କରିଥିଲେ ସେହି ସମନ୍ୱୟଧର୍ମୀ ବିଚାରର କଥା କହନ୍ତି ନାହିଁ।ସେହି ବିଦ୍ୱାନମାନେ ଏଇ କଥାକୁ ବି ପୁରାପୁରି ଏଡାଇଯାଆନ୍ତି ଯେ ଆଉରଙ୍ଗଜେବ ସ୍ୱାସ୍ଥ୍ୟଗତ ବିଷୟରେ ହିନ୍ଦୁ ସନ୍ୟାସୀ ମାନଙ୍କର ପରାମର୍ଶ ପ୍ରାୟତଃ ଲୋଡୁଥିଲେ ଓ ସେ ତାଙ୍କର ଶାସନକାର୍ଯ୍ୟରେ ସହାୟତା କରିବା ପାଇଁ ସମସ୍ତ ମୋଗଲ ସମ୍ରାଟ ଙ୍କ ତୁଳନାରେ ସବୁଠାରୁ ଅଧିକ ହିନ୍ଦୁଙ୍କୁ ନିଯୁକ୍ତି ଦେଇଥିଲେ।ଏହି ଭଳି ବିଶେଷ ଅପ୍ରଚଳିତ ତଥା ଐତିହାସିକ ସତ୍ଯତା ଉପରେ ଆଧାରିତ କଥା ସବୁକୁ ଆଉରଙ୍ଗଜେବଙ୍କ ଭଳି ଜଣେ ଧାର୍ମିକ-ବିଦ୍ୱେଷୀ ସମ୍ରାଟର ଘୃଣାର କଳ୍ପିତ ହିଂସକ ଆଚରଣ ର ପୃଷ୍ଠଭୂମୀରେ ଗ୍ରହଣ କରିବାକୁ ଆମେ ଅସମର୍ଥ ।

ଅବଶ୍ୟ ଆଉରଙ୍ଗଜେବ ତୃଟିଶୂନ୍ୟ ବୋଲି ଆଦୌ କୁହାଯାଇ ପାରିବ ନାହିଁ। ଆଧୁନିକ ଗଣତାନ୍ତ୍ରୀକ, ସାମ୍ୟବାଦୀ ଓ ମାନବିକ ଅଧିକାର ଆଦିକୁ ମାନକ ହିସାବରେ ନେଲେ ଆଉରଙ୍ଗଜେବ ସଂପୂର୍ଣ୍ଣ ବିଫଳ।ଆଉରଙ୍ଗଜେବ ପ୍ରାକ୍-ଆଧୁନିକ ରାଜ୍ୟର ଜଣେ ଶାସକ ଏବଂ ତାଙ୍କର ହିଂସା,ସ୍ୱୈରତା ଆଦି ସମସ୍ତ ଅବଧାରଣା ସେ ବାସକରୁଥିବା ସମୟ ଓ ଅଂଚଳ ଦ୍ୱାରା ହିଁ ପ୍ରଭାବିତ।ଆଉରଙ୍ଗଜେବଙ୍କ ସମସାମୟିକ ରାଜା ମାନେ ହେଉଛନ୍ତି ଇଂଲଣ୍ଡର ଚାର୍ଲସ୍ ଦ୍ୱିତୀୟ ,ଫ୍ରାନ୍ସର ଚତୁର୍ଦ୍ଦଶ ଲୁଇ ଓ ତୁର୍କି ର ଓଟୋମାନ୍ ଶାସକ ସୁଲେମାନ୍ ଦ୍ୱିତୀୟ ।କେହି ବର୍ତ୍ତମାନର ଦୃଷ୍ଟିରେ କହିବନାହିଁ ଯେ ଏଇ ଐତିହାସିକ ବିଶେଷ ଚରିତ୍ରଗୁଡିକ “ଭଲ ରାଜା”ଥିଲେ କାରଣ ବର୍ତ୍ତମାନର ବିଧାନରେ ଅତୀତର ମୂଲ୍ୟାଙ୍କନ କେବେହେଲେ ସଠିକ ହେବନାହିଁ।ଐତିହାସିକ ଅଧ୍ୟୟନ ର ଲକ୍ଷ୍ୟ ସବୁବେଳେ ଅଲଗା।

ଐତିହାସିକ ମାନଙ୍କ ଦୃଷ୍ଟିରେ ଚରିତ୍ର ଟି ସବୁବେଳେ ତାହାର ନିର୍ଦ୍ଦିଷ୍ଟ ଦେଶ ଆଉ କାଳ ର ଉପଜ ଏବଂ ତାହାର କାର୍ଯ୍ଯକଳାପ ତାହା ଅନୁସାରେ ନିୟନ୍ତ୍ରୀତ।ଆମେ କୌଣସି ଦୋଷୀକୁ ଦୋଷମୁକ୍ତ କରିବାକୁ ଉପସ୍ଥିତ ହୋଇନାହୁଁ କି କେଉଁ ଦୋଷୀର କଥାକୁ ପସନ୍ଦ କରିବାକୁ ଆଗଭର ହୋଇ ରହିନାହୁଁ।
ଆମେ ଆମର ରାୟଟିକୁ ଏବେ ସ୍ଥଗିତ ରଖିଥିବୁ ସେଇ ସମୟ ପର୍ଯ୍ୟନ୍ତ ଯେଉଁଠି ଆଉରଙ୍ଗଜେବ ଙ୍କ ରୂପକଥା ଟି ପୂରାପୁରି ମିଳାଇଯାଇଥିବ ତାହାର ପୂର୍ବ ନିର୍ଦ୍ଧାରିତ ପୃଷ୍ଟଭୂମୀରେ ଆଉ ଆମପାଇଁ ପ୍ରସାରିତ ଉନ୍ମୁକ୍ତ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଥିବ ଆଉରଙ୍ଗଜେବଙ୍କ କଥା କହିବାକୁ ଓ ଶୁଣିବାକୁ।

ବୟାଅଶି ବର୍ଷ ବୟସରେ ମୃତ୍ୟୋନ୍ମୁଖୀ ନରପତି ଆଉରଙ୍ଗଜେବ ଲେଖିଥିଲେ ତାଙ୍କର କମ ବଖସ୍ ବୋଲି ପୁଅକୁ।ଦୁଇଟି ଧାଡି:

“ମୁଁ ଅପରିଚିତ ହୋଇ ଆସିଥିଲି,ଏବେ ଯାଉଛି ଅପରିଚିତ ହୋଇ।”

“ସାର୍ବଭୌମତାର ସଶକ୍ତ ମୂଳଦୁଆ ହେଉଛି ଅଦାଲତ।”

(ଏହି ଆଲେଖ୍ୟଟି ଆମେରିକୀୟ ଐତିହାସିକ ଆଉଡ୍ରେ ଟ୍ରୁସକେ ଙ୍କ ପୁସ୍ତକ “ଆଉରଙ୍ଗଜେବ: ଦି ଲାଇଫ୍ ଆଣ୍ଡ ଲିଜେଣ୍ଡ ଅଫ୍ ଇଣ୍ଡିଆସ ମୋଷ୍ଟ କଣ୍ଟ୍ରୋଭର୍ସିଆଲ୍ କିଙ୍ଗ୍(୨୦୧୭)ରେ ଷ୍ଟାନଫୋର୍ଡ ୟୁନିଭର୍ସିଟି ପ୍ରେସ୍ ଦ୍ୱାରା ପ୍ରକାଶିତ) ର ପ୍ରଥମ ଅନୁଚ୍ଛେଦ ର ଅନୁସୃଜନ ।)

Read Moreଜୀବନ ଶୈଳୀ, ଧର୍ମ, ବିଶେଷ ଖବର, ବ୍ୟକ୍ତିତ୍ୱ, ଆଉରଙ୍ଗଜେବ୍, ଐତିହାସିକ ଅଧ୍ୟୟନ, ନାୟକ ନା ଖଳନାୟକThe Samikhsya Odia

Leave a Reply

Your email address will not be published. Required fields are marked *