ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ: ବାଣପୁର ବ୍ଲକ ଘେରାଉ କଲା ବିଜେପି

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର ଗରିବ ଲୋକଙ୍କ ହିତ ପାଇଁ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଗରିବର ମୁଣ୍ଡ ଉପରେ ଛାତ। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ହେଉଥିବାର ଅଭିଯୋଗ କରିଛି ବିରୋଧୀ ଦଳ ବିଜେପି।

ରାଜ୍ୟରେ ପ୍ରକୃତ ହିତାଧିକାରୀ ଉକ୍ତ ଯୋଜନାର ସୁଫଳ ପାଉନଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁମୋଦିତ ଅର୍ଥକୁ ଚଂଚକତା କରି ହରିଲୁଟ ହେଉଥିବାର ଅଭିଯୋଗ କରିଛି ବିଜେପି। ଏହି ଆଧାରରେ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

ଅନୁରୂପ ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ବିଜେପି ତରଫରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ନେ ବ୍ଲକ ଫାଟକ ସମ୍ମୁଖରେ ଧାରଣା ଦେବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ।

ବିଜେପି ବିଭିନ୍ନ ଦାବି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକରେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ଉଚିତ ଦଣ୍ଡ ଦେବା ସହ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ନିମନ୍ତେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ବାଣପୁର ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲା। ସେହିଭଳି ଗତକାଲି ମଧ୍ୟ ବିଜେପି ପକ୍ଷରୁ ଚିଲିକା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଉକ୍ତ ବିକ୍ଷୋଭ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଧବ ଦଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶୀଲ ବିଶୋଇ, ୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅମେରେନ୍ଦ୍ର ରଣସିଂହ, ୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ଦେବରାଜ ବସ୍ତି, ଭେଟେଶ୍ଵର ସରପଞ୍ଚ ତଥା ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ଭୋଳ, ନନ୍ଦପୁର ସରପଞ୍ଚ ରମେଶ ପ୍ରଧାନଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Read Moreଆଞ୍ଚଳିକ, ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାଣପୁର ବ୍ଲକ, ବିଜେପିThe Samikhsya Odia

Leave a Reply

Your email address will not be published. Required fields are marked *