କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କଲେ ଓଡ଼ିଶାବାସୀ

ବର୍ତମାନ ରାଜ୍ୟରେ କୋରୋନା ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏହା ଭିତରେ ଅନେକଙ୍କ ଜୀବନ ସଙ୍କଟାପନ୍ନ କାରଣରୁ ECMO ଚିକିତ୍ସା ପାଇଁ ଗ୍ରୀନ କରିଡ଼ର, ଏୟାର ଆମ୍ବୁଲାନ୍ସ ରେ ବାହାର ରାଜ୍ୟ କୁ ପଠାଯାଉଛି । ସାଧାରଣ ଲୋକ ହୁଅନ୍ତୁ କିମ୍ବା ଭିଜିଲାନ୍ସ ଡିଜି । ଏଥିପାଇଁ କୋଟି କୋଟି ଖର୍ଚ୍ଚ । ଥିବା ଲୋକ ନିଜେ ଖର୍ଚ୍ଚ କରୁଛି, ନ ଥିବା ଲୋକ ସାହାଯ୍ୟ ମାଗୁଛି । ତେବେ କେବେ ଭାବିଛନ୍ତି ସ୍ଵାଭିମାନୀ ଲୋକ କଣ କରୁଥିବ ? ନା କହି ପାରୁଥିବ ନା ସହି ପାରୁଥିବ । ଅଦେଖା ମୁଲକରେ ଆକ୍ରାନ୍ତ ଙ୍କୁ ଛାଡ଼ି ଭଗବାନଙ୍କୁ ଡାକୁଥିବ । ଠିକ୍ ଯେମିତି ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ତପୁ ମିଶ୍ର ଙ୍କ ପରିବାର । ମାସ ମାସ ଧରି ହସ୍ପିଟାଲ ବେଡ୍ ରେ ପଡିଛନ୍ତି ତପୁ ଅପା । କିନ୍ତୁ କାହାର ଆହା ପଦେ ନାହିଁ । ନା ସରକାର, ନା ସିନେ ସଂଘ, ନା ଗଣମାଧ୍ୟମ ? ଆମ ସିନେ କଳାକାର ବଡ଼ ବଡ଼ ପଦବୀରେ ଅବସ୍ଥାପିତ। କିନ୍ତୁ ସତେ ଯେମିତି ଅପେକ୍ଷା କରିଛନ୍ତି, ‘ଆହା… ତପୁ ଅପା ଭଲ ଝିଅଟେ ଥିଲେ’ କହିବାକୁ । କହିବାର ତାତ୍ପର୍ଯ୍ୟ ତପୁ ମିଶ୍ର ଙ୍କ ଆଡେ ଟିକେ ନିଘା ଦିଅନ୍ତୁ ।

କଥା ହେଲା, ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେବ ଭୁବନେଶ୍ଵରର ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଅକ୍ସିଜେନ୍ ଲେବୁଲ୍ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କୁ ଆଇସିୟୁରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଛି। ସେ ଗତ ୨୬ ଦିନ ହେଲା ଚିକିତ୍ସିତ ହେଉଛନ୍ତି। ପ୍ରଥମେ ସେ ସ୍ପର୍ଶ ହସ୍ପିଟାଲ୍‌ରେ ଚିକିତ୍ସା ପରେ ୬ଦିନହେଲା ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଚିକିତ୍ସା ଲାଗି ସ୍ଥାନାନ୍ତର ହୋଇଥିଲେ । ଆଜି ବୁଧବାର ସନ୍ଧ୍ୟାରେ ସେ ଗୁରୁତର ହୋଇପଡ଼ିଥିବା ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିସହିତ ରାଜ୍ୟ ସରକାର ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସହାୟତା କରିବାକୁ ଆମ ଟିଭି ମୁଖ୍ୟ ତଥା ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Ama TvRead More

Leave a Reply

Your email address will not be published. Required fields are marked *