ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ସାଧାରଣ ଲୋକଙ୍କର ମୂଳ ସମସ୍ୟା ଦୂର ହେବ କି ?

ରଙ୍ଗା ଚରଣ ପ୍ରଧାନ
ମୁଖପାତ୍ର, ଆପ୍ ଓଡ଼ିଶା

ସର୍ବପ୍ରଥମେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ୍ । ଗତ କେତେ ସପ୍ତାହ ଧରି ଟିକାକରଣକୁ ନେଇ ଏକ ଅଚଳାବସ୍ଥା ଦେଖା ଦେଇଥିଲା । ରାଜ୍ୟ ସରକାରମାନେ ଟିକା ପାଉ ନଥିଲେ । ଦେଶରେ ଯେଉଁ ଦରରେ ଟିକା ମିଳୁଛି ତାଠାରୁ ଅଧିକ ଦରରେ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ବିଦେଶରୁ ଟିକା ଆଣିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ । ଏହାର କାରଣ ହେଉଛି ଯେ ବିଦେଶୀ କମ୍ପାନୀମାନେ ରାଜ୍ୟ ସରକାରମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ରାଜି ନଥିଲେ । ଦ୍ବିତୀୟ କାରଣ ହେଉଛି ବର୍ତ୍ତମାନ ଟିକା ବଜାରରେ ଟେଣ୍ଡରର କୈାଣସି ମାନେ ନାହିଁ । ଯେତେବେଳେ ଅଧିକ ଉତ୍ପାଦନ ହେଉଥାଏ, ଅଧିକ ସଂଖ୍ୟକ ବିକ୍ରେତା ଥାଆନ୍ତି ଏବଂ ସେମାନଙ୍କ ପାଖରେ ବଳକା ଉତ୍ପାଦିତ ଜିନିଷ ଥାଏ ସେତେବେଳେ ଟେଣ୍ଡର ହେଲେ ତାହାର କୈାଣସି ମାନେ ରୁହେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ତାହାର ବିପରୀତ ଅଟେ । ବର୍ତମାନ ବିଶ୍ବରେ ଯେଉଁ ଅଳ୍ପ କେତୋଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି ସେମାନଙ୍କୁ ଆଗରୁ ବିଶ୍ବର ବିଭିନ୍ନ ଦେଶରୁ ଆସିଥିବା ଅର୍ଡର ଅନୁସାରେ ଟିକା ଯୋଗାଇବାକୁ ଅସମର୍ଥ ହେଉଛନ୍ତି । ସେମାନେ କାହିଁକି ଭାରତର ବିଭିନ୍ନ ରାଜ୍ୟ ସରକାରମାନଙ୍କ ଦ୍ବାରା ଟେଣ୍ଡର ନୋଟିସ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତେ ?

ଏପରିକି ଦେଶରେ ଟିକା ଉତ୍ପାଦନ କରୁଥିବା ସେରମ୍ ଇନିଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମଧ୍ୟ ଟଙ୍କା ଧରି ପ୍ରସ୍ତୁତ ଥିବା ରାଜ୍ୟ ସରକାରମାନଙ୍କୁ ଟିକା ଯୋଗାଇ ଦେଇ ପାରୁ ନଥିଲେ । ତେବେ ସେ ଯାହା ହେଉ ଗତ ୮ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ରାଜ୍ୟ ସରକାରମାନେ ଆବଶ୍ୟକ କରୁଥିବା ସମସ୍ତ ଟିକା କେନ୍ଦ୍ର ସରକାର ମାଗଣାରେ ଯୋଗାଇ ଦେବେ ବୋଲି ଆଶ୍ଵାସନା ଦେବା ପରେ ରାଜ୍ୟ ସରକାରମାନଙ୍କର ଚିନ୍ତା ଊଣା ହୋଇଛି । ଏହାକୁ ସମସ୍ତେ ସ୍ବାଗତ କରିବା ଉଚିତ୍ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପରେ ଲାଗିଲା ସେ ଜଣେ ବିଜେପି ନେତା ଭାବେ କହୁଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ନୁହେଁ । ତାଙ୍କ ଭାଷଣରେ ଥିଲା ରାଜ୍ୟ ସରକାରଗୁଡିକ ପ୍ରତି ବିଦ୍ରୁପ । ତାଙ୍କ ଭାଷାରେ ସେମାନେ କୁଆଡେ ଆଗରୁ ନିଜ ଆଡୁ କହିଥିଲେ ସେମାନଙ୍କୁ ଟିକାକରଣର ସମସ୍ତ ‘କାମ’ ଦିଆଯାଉ । ଏହା ବିଭିନ୍ନ ବିଜେପି ନେତାଙ୍କର ସେହି ଦାବିକୁ ବଳ ଦେଉଛି ଯେ ରାଜ୍ୟ ସରକାରମାନେ କୁଆଡେ କହିଥିଲେ ନିଜସ୍ଵ ଭାବେ ଟିକା କିଣିବାକୁ ସେମାନଙ୍କୁ ଅନୁମତି ଦିଆଯାଉ । ଏହି ଦାବୀର କୈାଣସି ଭିଡିଓ କିମ୍ବା ଖବର ରିପୋର୍ଟ ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ । ଯଦି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କର କୈାଣସି ବୈଠକରେ କୈାଣସି ଗୋଟିଏ ବି ରାଜ୍ୟର ମୁଖ୍ୟମନ୍ତ୍ରୀ ଏପରି ଦାବୀ କରିଥାନ୍ତି, ଯଦିବା ଦେଶର ୧୭ଟି ରାଜ୍ୟରେ ବିଜେପି ଶାସନ କରୁଛି, ସେହି ମୁଖ୍ୟମନ୍ତ୍ରୀ ଏପ୍ରିଲ ୧୯ ତାରିଖ ଦିନ ଏହି ନିଷ୍ପତ୍ତି ଘୋଷଣା ବେଳେ ଏଥିପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିଥାନ୍ତେ । ସେହି ମୁଖ୍ୟମନ୍ତ୍ରୀ କହିଥାନ୍ତେ ଯେ ଆମେ ନିଜସ୍ବ ଭାବେ ଟିକା କିଣିବାକୁ ଦାବି କରି କେନ୍ଦ୍ର ସରକାରଙ୍କ ବୋଝ ନିଜ ମୁଣ୍ଡକୁ ନେଲୁ । ଅନ୍ୟ ପକ୍ଷରେ ସେହି ଏପ୍ରିଲ୍ ୧୯ ତାରିଖ ଦିନ ଏହି ନିଷ୍ପତ୍ତି ଘୋଷଣା କରିବା ବେଳେ କେନ୍ଦ୍ର ସରକାର ନିଶ୍ଚୟ କହିଥାନ୍ତେ ଯେ ରାଜ୍ୟମାନଙ୍କ ଦାବି ଫଳରେ ସେମାନଙ୍କୁ ନିଜସ୍ଵ ଭାବେ ଟିକା କିଣିବାକୁ ଅନୁମତି ଦିଆଗଲା । ଏହା କହି କେନ୍ଦ୍ର ସରକାର ସେତେବେଳେ ନିଜ ମୁଣ୍ଡରୁ ଦୋଷ ହଟାଇ ପାରିଥାନ୍ତେ ।

ପ୍ରକୃତରେ କିନ୍ତୁ ଦିଲ୍ଲୀ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଟିକା କିଣିବା ଦାୟିତ୍ଵ ରାଜ୍ୟ ମାନଙ୍କ ଉପରେ ଲଦି ଦିଆଯିବାକୁ ବିରୋଧ କରିଥିଲେ । ସ୍ବାସ୍ଥ୍ୟ ପ୍ରମୁଖତଃ ରାଜ୍ୟର ବିଷୟ ହୋଇଥିଲେ ମଧ୍ୟ National Immunization Program ଅନ୍ତର୍ଗତ କେନ୍ଦ୍ର ସରକାର ବହୁ ଦିନରୁ ବିଭିନ୍ନ ଟିକା କିଣି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ଆସୁଥିଲେ । କରୋନା ଟିକା କ୍ଷେତ୍ରରେ ମଧ୍ୟ ଆରମ୍ଭରୁ ତାହା ହୋଇ ପାରିଥାନ୍ତା । କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ତାଙ୍କ ଦଳର ନେତାମାନେ ପ୍ରଚାର କରୁଥିବା ଅସତ୍ୟକୁ ବଳ ଦେଇ ନିଜକୁ ଜଣେ ଦଳୀୟ ନେତା ବୋଲି ପରିଚୟ ଦେଲେ ।

ଏ ତ ଗଲା ରାଜ୍ୟ ସରକାରମାନଙ୍କ ସମସ୍ୟା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ସାଧାରଣ ଲୋକଙ୍କୁ ମିଳିବ କ’ଣ ? କାରଣ ଏପର୍ଯ୍ୟନ୍ତ ସବୁ ବୟସ ବର୍ଗଙ୍କୁ ମାଗଣାରେ ଟିକା ମିଳୁଥିଲା । କେନ୍ଦ୍ର ସରକାର ନିଜ ଟଙ୍କାରେ ଟିକା କିଣି ରାଜ୍ୟ ସରକାରମାନଙ୍କ ଜରିଆରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାଗଣାରେ ଟିକା ଲଗାଇଥିଲେ । ତାହା ଏବେ ବି ଜାରି ରହିବ । ୧୮-୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟ ସରକାର ଟିକା କିଣି ମାଗଣାରେ ଲଗାଇଥିଲେ ଓ ଏଣିକି କେନ୍ଦ୍ର ସରକାର କିଣି ରାଜ୍ୟ ସରକାରଙ୍କ ଜରିଆରେ ମାଗଣାରେ ଲଗାଇବେ । ଉଭୟ କ୍ଷେତ୍ରରେ ଲୋକେ ଆଗରୁ ମାଗଣା ପାଉଥିଲେ ଓ ଏବେ ବି ପାଇବେ ।‌

ପ୍ରକୃତ ସମସ୍ୟା ହେଉଛି ଟିକାର ଉପଲବ୍ଧତାକୁ ନେଇ । ଟିକାକରଣ ପାଇଁ ଏବେ ବି ଯେଉଁ ପରିମାଣରେ ଟିକା ଉପଲବ୍ଧ ହେବା କଥା ତାହା ହେଉନାହିଁ । ଯଦି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଟିକାକରଣର ବେଗକୁ ଦେଖାଯିବ ତାହେଲେ ଦୈନିକ ହାରାହାରି ପ୍ରାୟ ୧୫ ଲକ୍ଷ ଟିକା ଦିଆଯାଉଛି । ଏଥିନେଇ ସମସ୍ୟା ରହିଛି ଉଭୟ ଟିକା ବଣ୍ଟନ ନୀତି ଓ ଉପଲବ୍ଧତାରେ । ପ୍ରଥମେ ବଣ୍ଟନ ନୀତି କଥା ଆଲୋଚନା କରାଯାଉ ।

ଆଗ ଭଳି ଏବେ ବି ଧନିକମାନଙ୍କ ପାଇଁ ପ୍ରାଇଭେଟ୍ ହସ୍ପିଟାଲଗୁଡିକରେ ଉତ୍ପାଦନର ୨୫% ସଂରକ୍ଷିତ ରହିବ । ପ୍ରାଇଭେଟ୍ ହସ୍ପିଟାଲଗୁଡିକ ଟିକା ବିକ୍ରି କରି ଯେତେ ଲାଭ କରିବେ ସେଥିରେ କାହାରି ଆପତ୍ତି ରହିବା ଉଚିତ୍ ନୁହେଁ । ଟିକା ଉତ୍ପାଦନକାରୀ କମ୍ପାନୀମାନେ ଲାଭ କରିବା ପାଇଁ ବ୍ୟବସାୟ କରୁଛନ୍ତି । ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ଟଙ୍କା ଦେଇ ପ୍ରାଇଭେଟ୍ ହସ୍ପିଟାଲରେ ଟିକା ନିଅନ୍ତୁ । କିନ୍ତୁ ଏହାକୁ ସେତିକିବେଳେ ସଠିକ୍ ନୀତି ବୋଲି କୁହାଯିବ ଯେତେବେଳେ ଦେଶରେ ଯଥେଷ୍ଟ ଟିକା ଥିବ ଏବଂ ସାଧାରଣ ଲୋକଙ୍କ ପାଇଁ ଟିକା ଦେବାକୁ ରାଜ୍ୟ ସରକାରମାନଙ୍କ ପାଖରେ ଟିକାର ଅଭାବ ନଥିବ । ଏପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲଗୁଡିକ ପ୍ରତି ଟିକା ୬୦୦ ଟଙ୍କାରେ କିଣୁଥିବା ବେଳେ ରାଜ୍ୟ ସରକାରମାନେ ୩୦୦ ଟଙ୍କାରେ କିଣି ଆସୁଛନ୍ତି । ସ୍ବାଭାବିକ ଭାବେ ଟିକା କମ୍ପାନୀଙ୍କୁ ଯିଏ ଅଧିକ ଦାମ୍ ଦେବ ସେମାନେ ତାକୁ ହିଁ ଆଗ ଟିକା ଯୋଗାଇ ଦେବାକୁ ଆଗ୍ରହୀ ହେବେ । ସେମାନେ ଯେ ସୀମିତ ଉତ୍ପାଦନରୁ ପ୍ରାଇଭେଟ୍ ହସ୍ପିଟାଲଗୁଡିକୁ ଯୋଗାଇବାରେ ପ୍ରାଥମିକତା ଦେଖାଉ ନଥିବେ ସେ କଥା କିଏ କହିବ ? ଗତ ୪ ତାରିଖରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ଅନୁଯାୟୀ ମଇ ମାସରେ ପ୍ରାଇଭେଟ୍ ହସ୍ପିଟାଲଗୁଡିକ କିଣିଥିବା ୧ କୋଟି ୨୦ ଲକ୍ଷ ଟିକା ମଧ୍ୟରୁ ସେମାନେ ମାତ୍ର ୨୨ ଲକ୍ଷ ବା ୧୮% ଟିକା ଲଗାଇଛନ୍ତି । ଅବଶିଷ୍ଟ ଟିକା ସେମାନଙ୍କ ପାଖରେ ଗଚ୍ଛିତ ଅଛି । କେବଳ ସେତିକି ନୁହେଁ, ଏହି ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ପ୍ରାଇଭେଟ୍ ହସ୍ପିଟାଲଗୁଡିକ ନେଇଥିବା ମୋଟ ଟିକା ମଧ୍ୟରୁ ୫୦ ଭାଗ ଟିକା ମେଟ୍ରୋ ସହରରେ ଥିବା ମାତ୍ର ୯ଟି ହସପିଟାଲ୍ କିଣିଛନ୍ତି । ଅବଶିଷ୍ଟ ୫୦ ଭାଗ ଟିକା ୩୦୦ଟି ମଧ୍ୟମ ଓ ଛୋଟ ସହରରେ ଥିବା ହସ୍ପିଟାଲ୍ କିଣିଛନ୍ତି । ଅଥଚ ରାଜ୍ୟ ସରକାରମାନେ ଟିକା ଅଭାବରୁ ଟିକାଦାନ କେନ୍ଦ୍ର ବନ୍ଦ କରିବାରେ ଲାଗିଛନ୍ତି ଓ ସାଧାରଣ ଲୋକଙ୍କୁ ଟିକା ମିଳୁନାହିଁ । ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ଓ ମୁକ୍ତବଜାରର ସ୍ବର୍ଗ କୁହାଯାଉଥିବା ଆମେରିକାରେ ପର୍ଯ୍ୟାପ୍ତ ପରିମାଣର ଟିକା ଗଚ୍ଛିତ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଟିକା ବିକ୍ରିର ବ୍ୟବସ୍ଥା ହୋଇନାହିଁ ।

ଆମେ ଜାଣିନାହୁଁ ସରକାର କେଉଁ ଆଧାରରେ ନିର୍ଣ୍ଣୟ କଲେ ଯେ ଦେଶରେ ୨୫% ଜନତା ପ୍ରାଇଭେଟ୍ ହସ୍ପିଟାଲରୁ ଟିକା କିଣିବାକୁ ସମର୍ଥ ଅଟନ୍ତି । ଗତ ୭ ତାରିଖ ସୁଦ୍ଧା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ମଧ୍ୟରୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ସଂଖ୍ୟା ଯେ ମୋଟ ଜନସଂଖ୍ୟାର ୫୦% ତାହା କେନ୍ଦ୍ର ସରକାର କେଉଁ ଆଧାରରେ ନିର୍ଣ୍ଣୟ କଲେ ତାହା ମଧ୍ୟ ଆମେ ଜାଣିନୁ । କିନ୍ତୁ ଏହି ବ୍ୟବସ୍ଥା ଏବେ ବି ଜାରି ରହିବ । ଯେହେତୁ ଗତ ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦେଇଥିବା ଭାଷଣ ଅନୁଯାୟୀ କେନ୍ଦ୍ର ସରକାର ଆଗାମୀ ୨୧ ତାରିଖରୁ ରାଜ୍ୟ ମାନଙ୍କ ପାଇଁ ଟିକା କିଣିବା ଆରମ୍ଭ କରିବେ ତେଣୁ ମଝିରେ ୧୪ ଦିନ ପାଇଁ ରାଜ୍ୟ ସରକାରମାନେ ଟିକା ପାଇଁ ଆଉ ଅର୍ଡର ଦେବେ ନାହିଁ । ତେଣୁ ଏହି ସମୟରେ ମାଗଣା ଟିକା ନେବାକୁ ଅପେକ୍ଷା କରିଥିବା ସାଧାରଣ ଲୋକଙ୍କ ପାଇଁ ଟିକାର ଅଭାବ ରହିବ । ଅଥଚ ଏହି ସମୟ ମଧ୍ୟରେ ପ୍ରାଇଭେଟ୍ ହସ୍ପିଟାଲଗୁଡିକ କିନ୍ତୁ ଟିକା କିଣି ଚାଲିଥିବେ । ଟିକାର ଅଭାବ ସମୟରେ ବଣ୍ଟନରେ ପାରଦର୍ଶିତା ପାଇଁ ୨ଟି ଯାକ ଟିକା କମ୍ପାନୀଗୁଡ଼ିକ ପ୍ରତିଦିନ କେତେ ଟିକା ଉତ୍ପାଦନ କରୁଛନ୍ତି, ସେଥିରୁ କାହାକୁ କେତେ ଦେଉଛନ୍ତି ଏବଂ ସେମାନେ କେତେ ଟିକାକରଣ କରିଛନ୍ତି ସେ ସମ୍ବନ୍ଧରେ ଦୈନିକ ବୁଲେଟିନ୍ ଜାରି ହେବା ଉଚିତ୍ ।

ଏବେ ଆସନ୍ତୁ ଟିକାର ଉପଲବ୍ଧତା ବିଷୟକୁ । କେନ୍ଦ୍ର ସରକାର ଓ ଟିକା କମ୍ପାନୀଗୁଡ଼ିକ ଟିକାର ଉପଲବ୍ଧତା ବିଷୟରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଚାଲିଛନ୍ତି । ଗତ ମଇ ୧୩ ତାରିଖରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀମାନେ ଆମକୁ କହିଲେ ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ୨୧୬ କୋଟି ଟିକା ଉପଲବ୍ଧ ହେବ । ଏହି ବୟାନ ଅନୁସାରେ ଏକ ହିସାବ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ବାହାରିଲା ଓ ସୋସିଆଲ ମିଡିଆରେ ଘୁରି ବୁଲିଲା । ୨୧୬ କୋଟି ଟିକା ମଧ୍ୟରୁ ଏହି ୫ ମାସ ମଧ୍ୟରେ ସେରମ୍ ଇନିଷ୍ଟିଚ୍ୟୁଟ୍ ୭୫ କୋଟି ଟିକା ଯୋଗାଇ ଦେବ ବୋଲି ସରକାର କହିଲେ । ତେଣୁ ଏହାରି ଆଧାରରେ ଆମେ କହି ପାରିବା ଯେ ସେରମ୍ ଇନିଷ୍ଟିଚ୍ୟୁଟ୍ ପ୍ରତି ମାସରେ ୧୫ କୋଟି ଟିକା ଉତ୍ପାଦନ କରି ଯୋଗାଇବ । ଅଥଚ ଏହାର ଠିକ୍ ୪ ଦିନ ପୁର୍ବେ ଅର୍ଥାତ୍ ମଇ ୯ ତାରିଖ ଦିନ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଜୁଲାଇ ବେଳକୁ ସେରମ୍ ଇନିଷ୍ଟିଚ୍ୟୁଟ୍ ତାହାର ମାସିକ ଉତ୍ପାଦନ ୫ କୋଟିରୁ ୬.୫ କୋଟିକୁ ବଢାଇବ । ଏଠାରେ ଲକ୍ଷ କରନ୍ତୁ, ସରକାର ଆମକୁ କହିଲେ ଯେ ସେରମ୍ ଇନିଷ୍ଟିଚ୍ୟୁଟ୍ ମାସିକ ୧୫ କୋଟି ଟିକା ଉତ୍ପାଦନ କରିବ ଓ ସୁପ୍ରିମକୋର୍ଟଙ୍କୁ କହିଲେ ମାସିକ ୬.୫ କୋଟି ଟିକା ଉତ୍ପାଦନ କରିବ । ଏହି ୨ଟି ସଂଖ୍ୟା ମଧ୍ୟରେ ଅନେକ ବ୍ୟବଧାନ ରହୁ ନାହିଁ କି ? ଯଦି ଉଭୟ କଥାକୁ ଠିକ୍ ମନେକରାଯାଇ ଧରି ନେବା ଯେ ଜୁଲାଇ ମାସର ୬.୫ କୋଟି ଟିକାକୁ ବାଦ୍ ଦେଲେ ମୋଟ୍ ୭୫ କୋଟି ଟିକା ମଧ୍ୟରୁ ଅବଶିଷ୍ଟ ୬୮.୫ କୋଟି ଟିକାକୁ ସେରମ୍ ଇନିଷ୍ଟିଚ୍ୟୁଟ୍ ଶେଷ ୪ ମାସରେ ବନେଇବ, ତେବେ ପ୍ରତି ମାସରେ ଏହାକୁ ପ୍ରାୟ ୧୭ କୋଟି ଟିକା ବନେଇବାକୁ ପଡିବ । ତେବେ ହଠାତ୍ ଟିକା ଉତ୍ପାଦନ ୫ କୋଟିରୁ ୧୭ କୋଟିକୁ ବୃଦ୍ଧି ପାଇବା ସମ୍ଭବ କି ? କମ୍ପାନୀ ତରଫରୁ ଏପର୍ଯ୍ୟନ୍ତ କୁହାଯାଇ ନାହିଁ ତାହାର ଉତ୍ପାଦନ କ୍ଷମତାରେ କିପରି ୩ ଗୁଣରୁ ଅଧିକ ବୃଦ୍ଧି ପାଇବ । କେନ୍ଦ୍ର ସରକାର ଏହି କମ୍ପାନୀକୁ ତାହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଏପର୍ଯ୍ୟନ୍ତ ଟଙ୍କାଟିଏ ଦେଇ ନାହାନ୍ତି । ଯାହା ଦେଇଛନ୍ତି ତାହା ହେଉଛି କେବଳ ଟିକା ଅର୍ଡର ସହିତ ଅଗ୍ରୀମ ରାଶି ବା supplier’s credit । କେନ୍ଦ୍ର ସରକାର ନିଜେ କମ୍ପାନୀଠାରୁ ୫୦% ଟିକା ୧୫୦ ଟଙ୍କା ଦରରେ ବା ଶସ୍ତାରେ କିଣୁଛନ୍ତି । କମ୍ପାନୀ ଅବଶିଷ୍ଟ ଟିକାକୁ ରାଜ୍ୟ ସରକାର ଓ ପ୍ରାଇଭେଟ୍ ହସ୍ପିଟାଲକୁ ଅଧିକ ଦରରେ ବିକ୍ରି କରି ଯେ ଉତ୍ପାଦନ କ୍ଷମତାର ସଂପ୍ରସାରଣ ପାଇଁ ପୁଞ୍ଜି ଠୁଳ କରିଥିବ ଏହା ବିଶ୍ବାସ ଯୋଗ୍ୟ ନୁହେଁ ।

ଯେହେତୁ ଭାରତରେ ଉତ୍ପାଦିତ ଟିକା ମଧ୍ୟରୁ ୯୦% କେବଳ ସେରମ୍ ଇନଷ୍ଟିଚ୍ୟୁଟ୍ ତିଆରି କରେ ତେଣୁ ଅବଶିଷ୍ଟ ମାତ୍ର ୧୦% କୋଭାକ୍ସିନ୍ ଟିକା ଯୋଗାଉଥିବା ଭାରତ ବାୟୋଟେକର ଉତ୍ପାଦନ କ୍ଷମତା ଅତି ବେଶୀରେ କେତେ ବଢ଼ି ପାରିବ ତାହାକୁ ଏହି ଆଲୋଚନାରୁ ବାଦ୍ ରଖାଯାଉ । ଯଦି ଏହାକୁ ଆଲୋଚନା କରିବାକୁ ଯିବା ତାହେଲେ ମଧ୍ୟ ଦେଖିବା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କୋଭାକ୍ସିନର ଉପଲବ୍ଧତା ବିଷୟରେ ସରକାର ଆମକୁ ଯେଉଁ ସଂଖ୍ୟା କହିଛନ୍ତି ଓ ସୁପ୍ରିମକୋର୍ଟଙ୍କୁ ଯେଉଁ ସଂଖ୍ୟା କହିଛନ୍ତି ତାହା ମଧ୍ୟରେ ବି ବହୁତ ବଡ଼ ବ୍ୟବଧାନ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଭାଷଣର ପରଦିନ ବା ଜୁନ୍ ୮ ତାରିଖରେ ଟିକାର ଉପଲବ୍ଧତାକୁ ନେଇ ସରକାର ଆମକୁ ଆଉ ଗୋଟିଏ ସଂଖ୍ୟା ଜଣାଇଛନ୍ତି । ନୀତି ଆୟୋଗର ସଦସ୍ୟ ବିନୋଦ କୁମାର ପଲ୍ ଜଣାଇଛନ୍ତି ଯେ ସରକାର ସେରମ୍ ଇନିଷ୍ଟିଚ୍ୟୁଟରୁ ୨୫ କୋଟି ଓ ଭାରତ ବାୟୋଟେକ୍ ଠାରୁ ୧୯ କୋଟି ଟିକା, ଏମିତି ମୋଟ ୪୪ କୋଟି ଟିକା କିଣିବା ପାଇଁ ସରକାର ଅର୍ଡର ଦେଇଛନ୍ତି । ସେଥିପାଇଁ ଟିକା ମୂଲ୍ୟର ଏକ ତୃତୀୟାଂଶ ଅଗ୍ରୀମ ମଧ୍ୟ ଦେଇଛନ୍ତି । ଏହା ସହିତ ସରକାର ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ୍ ଇ ନାମକ ଏକ ନୂଆ କମ୍ପାନୀରୁ ୩୦ କୋଟି ସଂଖ୍ୟକ ଏକ ନୁଆ ପଦ୍ଧତିରେ ପ୍ରସ୍ତୁତ ଟିକା କିଣିବେ ବୋଲି ମଧ୍ୟ ଅର୍ଡର ଦେଇଛନ୍ତି । ଏମିତି ମୋଟ ହେଲା ୭୪ କୋଟି ଟିକା ।

ଏହି ୭୪ କୋଟି ଟିକା ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପହଞ୍ଚିବ । ଏଠାରେ ପ୍ରଶ୍ନ ଉଠିବ ଆମେ ପୁର୍ବରୁ ଆଲୋଚନା କରିଥିବା ମୁତାବକ ସରକାର ଯଦି ମଇ ୧୩ ତାରିଖରେ ଆମକୁ କହିଥିଲେ ସେରମ୍ ଇନିଷ୍ଟିଚ୍ୟୁଟ୍ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି ଟିକା ଉତ୍ପାଦନ କରିବ ତାହେଲେ ଏବେ କାହିଁକି ଏହି ସମାନ ସମୟକାଳ ମଧ୍ୟରେ ଯୋଗାଇବା ପାଇଁ ସେରମ୍ ଇନିଷ୍ଟିଚ୍ୟୁଟକୁ ୨୫ କୋଟି ଟିକା ପାଇଁ ଅର୍ଡର ଦେଇଛନ୍ତି ? ଯଦି ମୋଟ ଟିକା ବିଷୟରେ ଆଲୋଚନା କରିବା, ସରକାର ଯଦି ମଇ ୧୩ ତାରିଖରେ ଆମକୁ କହିଥିଲେ ଯେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଉପଲବ୍ଧ ହେବ, ଜୁନ୍ ୮ ତାରିଖରେ କାହିଁକି କହୁଛନ୍ତି ଏହି ସମୟରେ ମଧ୍ୟରେ ଯୋଗାଇବା ପାଇଁ ମୋଟ୍ ମାତ୍ର ୭୪ କୋଟି ଟିକା ପାଇଁ ଅର୍ଡର ଦେଉଛନ୍ତି ?

ଶ୍ରୀ ପଲ୍ କହିଛନ୍ତି ଯେ ଜୁଲାଇ ସୁଦ୍ଧା ଯୋଗାଇବା ପାଇଁ ୫୩ କୋଟି ଟିକା ପାଇଁ ଆଗରୁ ଅର୍ଡର ଦିଆଯାଇ ସରିଛି । ତେଣୁ ସାନି ଅର୍ଡର ଅନୁସାରେ ଅଗଷ୍ଟରୁ ଆହୁରି ୭୪ କୋଟି ଟିକା ଆସିଲେ ଆରମ୍ଭରୁ ଏ ପର୍ଯ୍ୟନ୍ତ ମୋଟ ୧୨୭ କୋଟି ଟିକା ପାଇଁ ଅର୍ଡର ଦିଆଯାଇ ସରିଲାଣି, ଯାହା ଡିସେମ୍ବର ସୁଦ୍ଧା ମିଳିବ । ଯଦିବା ପୁର୍ବରୁ ଅର୍ଡର ଦିଆଯାଇଥିବା ୫୩ କୋଟି ଟିକା ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୨୪ କୋଟି ଟିକା ଆସିଛି, ତଥାପି ଚାଲନ୍ତୁ ଅଧିକ ଆଶାବାଦୀ ହୋଇ ଧରିନେବା ଯେ ଡିସେମ୍ବର ସୁଦ୍ଧା ସରକାରଙ୍କୁ ଏହି ମୋଟ ୧୨୭ କୋଟି ଟିକା ମିଳି ସାରିଥିବ । ତା ମାନେ ଏହା ଦ୍ବାରା ଜଣକୁ ଦୁଇଟି ଟିକା ହିସାବରେ ମୋଟ ପ୍ରାୟ ୬୪ କୋଟି ଲୋକଙ୍କୁ ଟିକା ଦିଆଯାଇ ସରିଥିବ । ନା ଏହି ସମୟ ପାଇଁ ସରକାର ପୁନର୍ବାର ଆହୁରି ଅର୍ଡର ଦେବେ ? ସରକାର ଏ ବିଷୟରେ କିଛି କହି ନାହାନ୍ତି ।

ଏତିକି ଲୋକଙ୍କର ଟିକାକରଣ କରିବା ଦ୍ୱାରା କଣ ଭାରତ କରୋନାରୁ ନିରାପଦ ହୋଇ ପାରିବ ? ଏବଂ ସେଥିପାଇଁ ପୁଣି ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ?

ପୁଣି ସରକାର ଯେଉଁ ବିୟୋଲୋଜିକାଲ୍ ଇ ନାମକ କମ୍ପାନୀରୁ ୩୦ କୋଟି ଟିକା କିଣିବାକୁ ଅର୍ଡର ଦେଇଛନ୍ତି ସେହି ଟିକାର ଏପର୍ଯ୍ୟନ୍ତ ତୃତୀୟ ପରୀକ୍ଷଣ ହୋଇ ନାହିଁ। ହାଇଦ୍ରାବାଦରେ ଉତ୍ପାଦନ ହେବାକୁ ଥିଲେ ହେଁ ଏହା ପ୍ରକୃତରେ ଆମେରିକାର ଟେକ୍ସାସରେ ପ୍ରସ୍ତୁତ ହୋଇ ଥିବାରୁ ଏହାର ତୃତୀୟ ପରୀକ୍ଷଣ ଆନ୍ତର୍ଜାତିକ ସ୍ତରରେ ହେବ । ତେଣୁ ଏହି ଟିକାର କେବେ ଉତ୍ପାଦନ ଆରମ୍ଭ ହେବ ଏବଂ ଡିସେମ୍ବର ସୁଦ୍ଧା କମ୍ପାନୀ କେତେ ଟିକା ଯୋଗାଇ ପାରିବ ସେଥିନେଇ ମଧ୍ୟ ସନ୍ଦେହ ଉପୁଜିବା ସ୍ବାଭାବିକ ।

ତେଣୁ ପ୍ରଧାନମନ୍ତ୍ରୀ ଏଣିକି ରାଜ୍ୟମାନଙ୍କୁ ଟିକା କିଣି ମାଗଣାରେ ଯୋଗାଇବେ ବୋଲି ସିନା କହିଦେଲେ, କିନ୍ତୁ ସାଧାରଣ ଲୋକଙ୍କୁ ଖୁବ୍ ଶୀଘ୍ର ଆବଶ୍ୟକ ମୁତାବକ ଟିକା ଯୋଗାଇ ପାରିବେ ତ ? ଡିସେମ୍ବର ଆସୁ ଆସୁ ଯଦି କରୋନାର ତୃତୀୟ ଲହର ଆସିଯିବ ତେବେ ଲୋକଙ୍କ ଜୀବନ ସୁରକ୍ଷିତ ହେବ ବୋଲି ଆଜି ସେ କେମିତି ଆଶ୍ଵାସନା ଦେବେ ? ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟିକା କିଣିବା ଓ ଦରକୁ ନେଇ ରାଜ୍ୟ ସରକାରଗୁଡିକ ସହ ଖୋଖୋ ଖେଳିବାରେ ସମୟ କାଟିଛନ୍ତି । ଯଦି ଅନ୍ୟ ପ୍ରମୁଖ ଦେଶ ମାନଙ୍କ ଭଳି କେନ୍ଦ୍ର ସରକାର ଯଥେଷ୍ଟ ଆଗରୁ ପ୍ରଚୁର ପରିମାଣରେ ଟିକା ମହଜୁଦ ରଖି ଜାନୁଆରୀ ମାସ ଆରମ୍ଭରୁ ଜୋରଦାର ଟିକା କରଣ ଆରମ୍ଭ କରିଥାନ୍ତେ ତେବେ କରୋନା ତୃତୀୟ ଲହରରେ ପାଖାପାଖି ୨ ଲକ୍ଷ ଲୋକ ମରି ନଥାନ୍ତେ ଓ ପିଲାଙ୍କର ପରୀକ୍ଷା ରଦ୍ଦ ହୋଇ ନଥାନ୍ତା ।

The post ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ସାଧାରଣ ଲୋକଙ୍କର ମୂଳ ସମସ୍ୟା ଦୂର ହେବ କି ? appeared first on Satya Patha.

Read Moreଜାତୀୟ, ରାଜନୀତି, AAP Odisha, Prime Minister speech, Ranga charana PradhanSatya Patha

Leave a Reply

Your email address will not be published. Required fields are marked *