ଗତ ପାଞ୍ଚ ବର୍ଷ ଧରି ଅର୍ଥବ୍ୟବସ୍ଥା ଚିତ୍କାର କରି କହୁଛି – କମ୍ପାନୀ ନୁହେଁ ସରକାର ଲୋକଙ୍କ ହାତକୁ ଟଙ୍କା ଛାଡ଼ନ୍ତୁ

ରଙ୍ଗା ଚରଣ ପ୍ରଧାନ — (ମୁଖପାତ୍ର, ଆପ୍, ଓଡ଼ିଶା)

ଜିଡିପି କହିଲେ ଅନେକ ଲୋକ ବୁଝନ୍ତି ନାହିଁ । ପରିହାସ କରନ୍ତି । କୁହନ୍ତି ଖାଇବା ତେଲ ଦର ଆସି ୨୦୦ ଟଙ୍କାରେ ପହଞ୍ଚିଲାଣି । ଜିଡିପିରୁ ଆମକୁ କ’ଣ ମିଳିବ ? ବାସ୍ତବରେ କିନ୍ତୁ ଜିଡିପି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଓ ଅର୍ଥନୀତିର ପ୍ରାୟ ସମସ୍ତ ଦିଗକୁ ବିଚାରକୁ ନେଇ ଏହା ହିସାବ କରାଯାଏ । ଖାଇବା ତେଲର ଦରବୃଦ୍ଧି ବା ମୁଦ୍ରାସ୍ଫିତିକୁ ମଧ୍ୟ । ଆଉ ମଧ୍ୟ ଅର୍ଥବ୍ୟବସ୍ଥା ସମ୍ବନ୍ଧୀୟ ଆଉ ଯେତେ ସବୁ ତଥ୍ୟ ଅଛି ସେ ସବୁକୁ ଜିଡିପିର ଶତକଡା ହିସାବରେ କୁହାଗଲେ ପ୍ରକୃତ ସ୍ଥିତି ପରିଷ୍କାର ହୁଏ । ଜିଡିପି ହେଉଛି ଦେଶର ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ସମାହାର ।

୨୦୨୦-୨୧ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧) ଦେଶ ମୋଟ ଜିଡିପି ୧୩୫.୧୩ ଲକ୍ଷ କୋଟି ଟଙ୍କାରେ ପ‌ହଞ୍ଚିଛି । ଏହାର ପୁର୍ବ ବର୍ଷ ଦେଶର ମୋଟ ଜିଡିପି ୧୪୫.୬୯ ଲକ୍ଷ କୋଟି ଟଙ୍କା ଥିଲା । ତେଣୁ ପୁର୍ବ ଆର୍ଥିକ ବର୍ଷ ତୁଳନାରେ ଏହି ଜିଡିପି ୭.୩% କମିଲା । ଦେଶ ସ୍ବାଧୀନତା ହେବା ଠାରୁ କୈାଣସି ଗୋଟିଏ ବର୍ଷ ବି ଜିଡିପି ଏତେ ମାତ୍ରାରେ କମି ନଥିଲା ‌ । ଏହା ପୁର୍ବରୁ ଜିଡିପିର ସର୍ବାଧିକ ହ୍ରାସ ଦେଖା ଦେଇଥିଲା ୨୦୭୯-୮୦ ରେ ଯେଉଁ ବର୍ଷ ଏହା ୫.୨% କମିଥିଲା । ସେତେବେଳେ ଏହାର କାରଣ ଥୂଲା ଆନ୍ତର୍ଜାତିକ ତୈଳ ବଜାରରେ ଅତିରିକ୍ତ ଦରବୃଦ୍ଧି ଯେଉଁଥିପାଇଁ ତୈଳ ଆମଦାନୀ ଖର୍ଚ୍ଚ ବଢ଼ି ଯାଇଥିଲା ।

ଚଳିତ ବର୍ଷ ଜିଡିପିର ହ୍ରାସ ପାଇଁ ସ୍ବାଭାବିକ ଭାବେ ଅନେକେ କରୋନା ମହାମାରୀକୁ ଦାୟୀ କରିବେ । ଏହା ମଧ୍ୟ ସତ୍ୟ । ମାତ୍ର ୨୦୧୬-୧୭ ମସିହାରୁ ପ୍ରତି ବର୍ଷ ଜିଡିପି ଦର କମି ଆସୁଛି । ସେହି ବର୍ଷ ଜିଡିପି ବୃଦ୍ଧି ଦର ୮.୨% ଥିବା ବେଳେ ୨୦୧୯-୨୦ରେ ତାହା ୪.୨% ରେ ପହଞ୍ଚି ଯାଇଥିଲା । ଅର୍ଥାତ୍ ପ୍ରାୟ ଅଧା ହୋଇଯାଇଥିଲା । ମନେରଖନ୍ତୁ ୨୦୨୯-୨୦ ରେ ଶେଷ କେଇ ଦିନ ବ୍ୟତୀତ ସେହି ବର୍ଷ ଦେଶରେ କରୋନା ପ୍ରବେଶ କରି ନଥିଲା । ଜିଡିପି ଦର କ୍ରମାଗତ ଭାବରେ କମିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ନୋଟବନ୍ଦି ଓ ଭ୍ରମାତ୍ମକ ଜିଏସଟି ବ୍ୟବସ୍ଥା ଭଳି କେତେକ ଅପରିଣାମଦର୍ଶୀ ନିଷ୍ପତ୍ତିକୁ ଦାୟୀ କରିବା ବ୍ୟତୀତ ଆଉ କାହାକୁ ଦାୟୀ କରାଯାଇ ପାରିବ ନାହିଁ । ଯଦି ମହିମାରୀ ଆସିବା ପୂର୍ବରୁ ଦେଶର ଆର୍ଥିକ ସ୍ଥିତି ଭଲ ଥାଆନ୍ତା ତେବେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ସହିବା ଓ ସେଥିରୁ ମୁକୁଳିବା ଆମକୁ ସହଜ ହୋଇଥାନ୍ତା ।

ପ୍ରଶ୍ନ ଉଠିବ ଏତେ ଦୀର୍ଘ ସମୟ ଧରି ଯଦି ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଚାଲିଛି ଏହାକୁ ରୋକିବା ପାଇଁ କ’ଣ କୈାଣସି ରାସ୍ତା ନଥିଲା ? ଯଦି ଥିଲା ତେବେ ଆମ ସରକାର ସେ ରାସ୍ତା ଆପଣାଇଲେ ନାହିଁ କାହିଁକି ? ରାସ୍ତା ତ ଥିଲା କିନ୍ତୁ ସରକାର ସେହି ରାସ୍ତାରେ କାହିଁକି ଗଲେ ନାହିଁ ତାହା ଏକ ଅଲଗା ବିଷୟ । ଏ ସ୍ଥିତିରୁ ମୁକୁଳିବା ପାଇଁ ଯେଉଁ ରାସ୍ତା ଅଛି ବୋଲି ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ଅର୍ଥନୀତିଜ୍ଞମାନେ ସରକାରଙ୍କୁ କହି ଆସୁଛନ୍ତି ତାହା ହେଲା, ସରକାର ନିଜ ଖର୍ଚ୍ଚ ବଢାନ୍ତୁ , ବହୁ ପରିମାଣରେ ବଢାନ୍ତୁ । ସେମାନଙ୍କ କହିବା କେତେଦୂର ଠିକ୍ , ତାହା ବର୍ତମାନ ଘୋଷଣା ହୋଇଥିବା ଜିଡିପି ରିପୋର୍ଟକୁ ବିଶ୍ଳେଷଣ କଲେ ଜଣା ପଡ଼ିବ ।

ଜିଡିପିକୁ ବିଶ୍ଳେଷଣ କରିବା ସମୟରେ ଯେଉଁ ମୁଖ୍ୟ ୪ ଟି ବିଷୟକୁ ଦେଖାଯାଏ ସେଗୁଡିକ ହେଲା :

୧. ସାଧାରଣ ଲୋକଙ୍କ ଦ୍ବାରା ଖର୍ଚ୍ଚ ।
୨ ପୁଞ୍ଜି ଲଗାଣ ।
୩. ନେଟ୍ ରପ୍ତାନି ବା ରପ୍ତାନି – ଆମଦାନୀ . ୪. ସରକାରଙ୍କ ଦ୍ବାରା ଖର୍ଚ୍ଚ ।

ସାଧାରଣ ଲୋକଙ୍କ ଦ୍ବାରା ଖର୍ଚ୍ଚ କହିଲେ ଆପଣ ଓ ଆମେ ଯାହା କିଣିଥାଉ ତାକୁ ବୁଝାଏ । ଏହା ଅର୍ଥବ୍ୟବସ୍ଥାର ପ୍ରାୟ ୫୦ରୁ ୫୫ ଭାଗ । ୨୦୨୦-୨୧ ରେ ଏହା ୯.୧% କମିଛି । ଗତ କେତେ ଦଶନ୍ଧିରେ ମଧ୍ୟ ଏହା ଏତେ ପରିମାଣରେ କମି ନଥିଲା । ଏହା ପୂର୍ବରୁ ଜିଡିପି ସର୍ବାଧିକ କମିଥିବା ୧୦୭୯-୮୦ରେ ମଧ୍ୟ ଏହି ଖର୍ଚ୍ଚ ମାତ୍ର ୨.୨% କମିଥିଲା । ଏହାର କାରଣ ସ୍ପଷ୍ଟ । କରୋନା ଯୋଗୁଁ ଅନେକ ଲୋକ କାମଧନ୍ଦା ହରାଇଥିଲେ । ଯେଉଁ ମାନଙ୍କ ପାଖରେ ବି କିଛି ଟଙ୍କା ଥିଲା ଆଗକୁ ନେଇ ଅନିଶ୍ଚିତତା ଯୋଗୁଁ ସେମାନେ ଖର୍ଚ୍ଚ କଲେ ନାହିଁ । ଏମିତି ବି ଲକଡାଉନ୍ ଯୋଗୁଁ ଦୋକାନ ବଜାର , ସପିଂମଲ୍ ଆଦି ବର୍ଷର ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ଥିଲା । ଏତିକି ବେଳକୁ ଯଦି ଲୋକଙ୍କ ପାଖରେ ଯଥେଷ୍ଟ ଟଙ୍କା ଥାଆନ୍ତା ତେବେ ସେମାନେ ଅଧିକ ଖର୍ଚ୍ଚ କରି ଥାଆନ୍ତେ ।‌ ତେଣୁ ସାଧାରଣ ଲୋକଙ୍କ ଖର୍ଚ୍ଚ କମିବା ଜିଡିପିକୁ ତଳକୁ ଟାଣିବାକୁ ଲାଗିଲା ।

ଏହି ପରିସ୍ଥିତିରେ ଯଦି ବିଭିନ୍ନ ଶିଳ୍ପପତି ଓ କମ୍ପାନୀମାନେ ନିଜର କାରୋବାର ବିସ୍ତାର କରିଥାନ୍ତେ କିମ୍ବା ନୂଆ ଶିଳ୍ପ କାରଖାନା ସ୍ଥାପନ ପାଇଁ ପୁଞ୍ଜି ଲଗାଣ କରିଥାନ୍ତେ ତେବେ ତାହା ଜିଡିପି ବୃଦ୍ଧି ହେବାରେ ସହାୟକ ହୋଇଥାନ୍ତା । କାରଣ ତାହା ହୋଇଥିଲେ ଉତ୍ପାଦନ ବଢିଥାନ୍ତା ଓ ଉତ୍ପାଦନ କରିବା ପାଇଁ ଅଧିକ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ଫଳରେ ସେହି ଲୋକମାନଙ୍କ ଆୟ ବଢିବା ଦ୍ବାରା ସେମାନେ ଅଧିକ ଖର୍ଚ୍ଚ କରିଥାନ୍ତେ ବା ଜିନିଷପତ୍ରର ଚାହିଦା ବଢିବା ଯୋଗୁଁ କାରଖାନା ଓ ଶିଳ୍ପମାନେ ଅଧିକ ଉତ୍ପାଦନ କରିଥାନ୍ତେ ‌। କିନ୍ତୁ ସେପରି ହେଲା ନାହିଁ । ଏହି ପରିସ୍ଥିତିକୁ ଆର୍ଥିକ ମାନ୍ଦାବସ୍ଥା କୁହାଯାଏ , ଯାହା ଗତ ୪/୫ ବର୍ଷ ହେଲା ଦେଶରେ ଲାଗି ରହିଛି ‌ । ଲୋକଙ୍କ ପାଖରେ ଜିନିଷ ପ୍ରତି ଚାହିଦା ଓ କ୍ରୟଶକ୍ତି ନାହିଁ ବୋଲି କାରଖାନା ମାଲିକମାନେ ଅଧିକ ଉତ୍ପାଦନ କରି ଜିନିଷ ପକାଇ ରଖିବାକୁ ଚାହୁଁ ନାହାନ୍ତି । ଅନ୍ୟ ପକ୍ଷରେ ଉତ୍ପାଦନ ବଢୁନାହିଁ ବୋଲି ଲୋକଙ୍କ ପାଖରେ ରୋଜଗାର ନାହିଁ, ଆୟ ନାହିଁ ଓ ସେମାନଙ୍କର କ୍ରୟଶକ୍ତି ନାହିଁ । ଗତ ୪/୫ ବର୍ଷ ହେଲା ଶିଳ୍ପ କାରଖାନାମାନେ ସେମାନଙ୍କ ଉତ୍ପାଦନ କ୍ଷମତାର ମାତ୍ର ୬୦ରୁ ୬୫ ଭାଗ ଉପଯୋଗ କରୁଛନ୍ତି । ଏପରି ସ୍ଥଳେ ଗତ ବର୍ଷ ପୁଞ୍ଜି ଲଗାଣ ପୂର୍ବ ବର୍ଷ ଅପେକ୍ଷା ୧୦.୮% କମିଛି ।

ତେଣୁ ଯେତେବେଳେ ସାଧାରଣ ଲୋକଙ୍କ ଖର୍ଚ୍ଚ କମିଛି ଓ କାରଖାନା ଓ ଶିଳ୍ପମାନଙ୍କର ସାନି ପୁଞ୍ଜି ଲଗାଣ କମିଛି ସେତେବେଳେ ସରକାର ଆଗେଇ ଆସି ଅଧିକ ଖର୍ଚ୍ଚ କରିବା କଥା । ଏହା ହେଉଛି ଶେଷ ରାସ୍ତା । ସରକାର ଯଦି ଭିତ୍ତିଭୂମିରେ ଅଧିକ ଖର୍ଚ୍ଚ କରନ୍ତେ ବା ହସପିଟାଲ୍, ପୋଲ, ସଡ଼କ ଓ ଏମିତି ବଡ଼ ବଡ଼ ଭିତ୍ତିଭୁମିରେ ଅଧିକ ଖର୍ଚ୍ଚ କରନ୍ତେ ତେବେ ଅର୍ଥବ୍ୟବସ୍ଥା ଚଳଚଞ୍ଚଳ ହୁଅନ୍ତା । ଲୁହା, ରଙ୍ଗ, ସିମେଣ୍ଟ ଆଦି ଜିନିଷ ଅଧିକ ଆବଶ୍ୟକ ହୁଅନ୍ତା ଓ ତଦ୍ୱାରା ଏସବୁ ଉତ୍ପାଦନ କରୁଥିବା ଘରୋଇ କମ୍ପିନୀମାନେ ଉତ୍ପାଦନ ବଢାଇଥାନ୍ତେ ଓ ଅଧିକ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ଫଳରେ ଲୋକଙ୍କର ଆୟ ବଢିଥାନ୍ତା ଓ ସେମାନେ ଅଧିକ ଖର୍ଚ୍ଚ କରିଥାନ୍ତେ । ପ୍ରକାରାନ୍ତରେ ଏହା ମଧ୍ୟ ଅଧିକ ଉତ୍ପାଦନ କରିବା ପାଇଁ କାରଖାନାମାନଙ୍କୁ ପ୍ରେରିତ କରିଥାନ୍ତା । ବନ୍ଦ ଥିବା ଚକ୍ରକୁ କେହି ନା କେହି ତ ଘୁରାଇବା ଆରମ୍ଭ କରିବ ? ସେହି କାମ ସରକାର କରିଥାନ୍ତେ । ଅବଶ୍ୟ ସରକାର ଖର୍ଚ୍ଚ ବଢାଇଛନ୍ତି । କିନ୍ତୁ ତାହା ଆଦୌ ଯଥେଷ୍ଟ ନୁହେଁ । ଗତ ବର୍ଷ ସରକାରଙ୍କର ଖର୍ଚ୍ଚ ମାତ୍ର ୨.୯% ବଢିବା ସ୍ଥଳେ ଏହାର ପୂର୍ବବର୍ଷ ତାହା ୭.୯% ବଢିଥିଲା ।

ଗତବର୍ଷ ମୋଟ ଖର୍ଚ୍ଚ , ସାଧାରଣ ଲୋକ ଓ ସରକାରୀ ଖର୍ଚ୍ଚ ମିଶାଇ, ୭୫.୬୧ ଲକ୍ଷ କୋଟି ଟଙ୍କା ହୋଇଥିଲା । ଏହା ୨୦୧୭-୧୮ର ଖର୍ଚ୍ଚ ଠାରୁ ମାତ୍ର ୩.୧% ଅଧିକ ଥିଲା । ଅର୍ଥାତ୍ ତିନି ବର୍ଷ ପୂର୍ବେ ଯାହା ଖର୍ଚ୍ଚ ହୋଇଥିଲା ଗତବର୍ଷ ତାହାର ପାଖାପାଖି ଖର୍ଚ୍ଚ ହୋଇଥିଲା । ତେଣୁ ମୋଟ ଖର୍ଚ୍ଚ ତିନି ବର୍ଷ ତଳକୁ ଚାଲିଗଲା । ଏହାର ଅର୍ଥ ମଧ୍ୟ ହେଉଛି ଯେ ଅତି କମରେ ତିନି ବର୍ଷ ହେଲା ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି ।

ଏହା ବ୍ୟତୀତ ସରକାର ଆଉ ଯେଉଁ ଉପାୟରେ ଖର୍ଚ୍ଚ କରିଥାନ୍ତେ ତାହା ହେଉଛି କରୋନା ଦ୍ବାରା ପେଷି ହୋଇଥିବା ସାଧାରଣ ଗରିବ ଜନତାଙ୍କ ହାତକୁ ସହାୟତା ରାଶି ଦେଇଥାନ୍ତେ । ଏ ବାଟରେ ସରକାର ଜନଧନ ଆକାଉଣ୍ଟକୁ ମାସିକ ୫୦୦-୭୦୦ ଟଙ୍କା ପଠାଇବା, ଏଫସିଆଇ ଗୋଦାମରେ ବର୍ଷ ବର୍ଷ ଧରି ପଡିରହିଥିବା ଚାଉଳ ଗହମ ପଠାଇବା ଓ ସ୍ଵଳ୍ପ ଆୟକାରୀ ମନରେଗା ପ୍ରୋଗ୍ରାମରେ ଲୋକଙ୍କୁ ଅଧିକ କାମ ଯୋଗାଇବା ଛଡ଼ା ଆଉ କିଛି କରି ନାହାନ୍ତି ।‌ ଏହି ଯୋଜନାରେ ଯେତିକି କାମ ଯୋଗାଇଛନ୍ତି ତାହା ମଧ୍ୟ ଚାହିଦା ଠାରୁ ଅନେକ କମ୍ ।

ଅନ୍ୟ ପକ୍ଷରେ ପେଟ୍ରୋଲ, ରେଳବାଇ ଟିକେଟ୍ ଏବଂ ତମାମ ଜିନିଷ ଓ ସେବାର ଦାମ୍ ବଢ଼ିଛି । ଏହା ଦ୍ବାରା ଲୋକଙ୍କର କ୍ରୟ ଶକ୍ତି ଆହୁରି କମିଛି । ସେମାନେ ଆଗରୁ ଯେତିକି ଜିନିଷ ଓ ସେବା କିଣୁଥିଲେ ତାହା ଆଉ କିଣି ପାରୁନାହାନ୍ତି ।

ଏବେ ଜିଡିପିକୁ ଛାଡି ଅର୍ଥବ୍ୟବସ୍ଥାର ଅନ୍ୟ ଏକ ଦିଗ ଉପରେ ନଜର ପକାନ୍ତୁ ଯେଉଁଥିରୁ ଜଣାପଡିବ ସରକାର କେମିତି ଲୋକଙ୍କ ପାଖରେ ଟଙ୍କା ନ ପହୁଞ୍ଚାଇ ଅର୍ଥବ୍ୟବସ୍ଥାକୁ ଆହୁରି ନଷ୍ଟ କରିଛନ୍ତି ‌ । ନିକଟରେ ପ୍ରକାଶ ପାଇଛି ଗତବର୍ଷ ସରକାର କେତେ ଆୟକର ଆଦାୟ କରିଛନ୍ତି । ଦୁଇପ୍ରକାରର ଆୟକର ଥାଏ । ଗୋଟିଏ ହେଉଛି ବ୍ୟକ୍ତିଗତ ଆୟକର ଓ ଅନ୍ୟଟି ହେଉଛି କମ୍ପାନୀଗୁଡ଼ିକ ଦେଉଥିବା ଆୟକର ବା କରପୋରେଟ୍ ଟ୍ୟାକ୍ସ । ଗତବର୍ଷ ଏହି ଦୁଇଟି ଆୟକର ନିମ୍ନମତେ ଆଦାୟ ହୋଇଛି ।

ବ୍ୟକ୍ତିଗତ ଆୟକର ୪.୬୯ ଲକ୍ଷ କୋଟି ଟଙ୍କା
କର୍ପୋରେଟ ଟିକସ ୪.୫୭ ଲକ୍ଷ କୋଟି ଟଙ୍କା

ଅର୍ଥାତ୍ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ପାନୀଗୁଡ଼ିକ ୧୨ ହଜାର କୋଟି ଟଙ୍କା କମ୍ ଟିକସ ଦେଇଛନ୍ତି । ଗତ ୧୨ ବର୍ଷରେ ଏପରି ହେବା ପ୍ରଥମ ଓ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ସାଧାରଣତଃ ବ୍ୟକ୍ତିଗତ ଆୟକର ଅପେକ୍ଷା କମ୍ପାନୀଗୁଡ଼ିକ ଅଧିକ ଆୟକର ଦେଇଥାନ୍ତି ।

ଏକଥା ସତ ଯେ ଗତବର୍ଷ ଆୟକର ଆଦାୟ କମିବା ଏକ ସ୍ବାଭାବିକ ଘଟଣା ଥିଲା । ଏଥିପାଇଁ ମହାମାରୀ ଦାୟୀ । ଉଭୟ ବ୍ୟକ୍ତିଗତ ସ୍ତରରେ ଓ କମ୍ପାନୀଗୁଡ଼ିକର ଆୟ କମିଯିବାରୁ ଆୟକର ଆଦାୟ କମିଗଲା ।‌ କିନ୍ତୁ ଗତବର୍ଷ ପୂର୍ବ ବର୍ଷ ତୁଳନାରେ ବ୍ୟକ୍ତିଗତ ଆୟକର ଆଦାୟ ୨.୩% କମିଥିବା ବେଳେ କର୍ପୋରେଟ ଟିକସ ୧୭.୯% କମିଛି ।

କେହି ହୁଏତ କହିପାରେ ଯେ ଗତବର୍ଷ ମହାମାରୀ ଯୋଗୁଁ କମ୍ପାନୀଗୁଡ଼ିକର ଆୟ କମିଯାଇଛି ଯେଉଁଥିପାଇଁ ସେମାନେ କମ୍ ଆୟକର ଦେଇଛନ୍ତି । ଏହା ହୁଏତ ଆଂଶିକ ସତ୍ୟ ହୋଇପାରେ । ତେବେ ଏହି ବିଡମ୍ବନାକୁ ସ୍ପଷ୍ଟ କରିବା ପାଇଁ ଆହୁରି ଗୋଟିଏ ତଥ୍ୟ ବୁଝିବାକୁ ପଡିବ ।

ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଅନେକ ଅଛନ୍ତି, ଯେଉଁମାନେ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ ସେମାନଙ୍କ ଅଂଶଧନକାରୀମାନଙ୍କ ପାଇଁ ନିଜର ଆୟବ୍ୟୟ ହିସାବ ସାର୍ବଜନୀନ କରିବାକୁ ପଡେ । ସେମାନଙ୍କର ଏହି ହିସାବ ଆଧାରରେ ଇକୋନୋମିକ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଗତବର୍ଷ ଏହି ପଞ୍ଜିକୃତ କମ୍ପାନୀଗୁଡ଼ିକର ଟିକସବାଦ୍ ଲାଭ ଜିଡିପିର ଶତକଡା ଭାବେ ୨.୬% ବୃଦ୍ଧି ହୋଇଛି । ୨୦୧୪-୧୫ ବର୍ଷ ପରଠାରୁ ଏହି ବୃଦ୍ଧି ହେଉଛି ସର୍ବାଧିକ । ୨୦୧୪-୧୫ରେ ସେମାନଙ୍କ ଲାଭ ଜିଡିପିର ଶତକଡା ହିସାବରେ ୩.୧% ବୃଦ୍ଧି ହୋଇଥିଲା ।

ତେଣୁ ସ୍ଵାଭାବିକ ପ୍ରଶ୍ନ ଉଠୁଛି, ଏପରି କେମିତି ହେଲା ? ଯଦି ଏହି ପଞ୍ଜିକୃତ କମ୍ପାନୀଗୁଡ଼ିକର ଲାଭରେ ଏତେ ବୃଦ୍ଧି ହୋଇଛି ତାହେଲେ ସେମାନେ ଦେଇଥିବା ଆୟକର ବା କରପୋରେଟ୍ ଟ୍ୟାକ୍ସରେ ୧୭.୯% ହ୍ରାସ କେମିତି ଘଟିଲା ? ଟିକସ ତ ଲାଭକୁ ନେଇ ହିସାବ କରାଯାଏ ନା ? ଏହାର କାରଣ ବୁଝିବାକୁ ଟିକିଏ ଅପେକ୍ଷା କରନ୍ତୁ । ତାହା ପୁର୍ବରୁ ଘଟଣାଟିକୁ ଆହୁରି ପାଖରୁ ଦେଖିବାର ଆବଶ୍ୟକତା ରହିଛି ।

ଏଥର ସେମାନେ କରିଥିବା ଲାଭକୁ ଜିଡିପିର ଶତକଡା ଭାବେ ନ ଦେଖି ସେମାନଙ୍କର ପ୍ରକୃତ ଲାଭକୁ ଲକ୍ଷ କରନ୍ତୁ । ଲାଭରୁ ଆୟକର ଦେଇସାରିବା ପରେ ଆଉ ଯେତିକି ଲାଭ ରୁହେ, ଅର୍ଥାତ୍ ଟିକସବାଦ୍ ଲାଭରେ ଗତବର୍ଷ ଏହି ପଞ୍ଜିକୃତ କମ୍ପାନୀଗୁଡ଼ିକ ୯.୧% ଲମ୍ପ ଦେଇଛନ୍ତି ‌। ଏହା ୨୦୦୭-୦୮ ପରଠାରୁ ସବୁଠାରୁ ଲମ୍ବା ଲମ୍ପ । ୨୦୦୭-୦୮ରେ ଏହି ଲମ୍ପ ୧୦.୨% ଥିଲା ।

ତେଣୁ ଏପରି ହେବାର କାରଣ କ’ଣ ? ବ୍ୟକ୍ତିଗତ ଆୟକର ଅପେକ୍ଷା କମ୍ପାନୀଗୁଡ଼ିକ ଦେଇଥିବା ଆୟକର କମିଲା କାହିଁକି ?

ଆପଣଙ୍କର ମନେ ଥାଇପାରେ ଯେ ୨୦୧୯ ସେପ୍ଟେମ୍ବର ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରପୋରେଟ୍ ଟିକସ ଦର ବହୁ ମାତ୍ରାରେ କମାଇଥିଲେ ‌। ସେତେବେଳେ ସେ କମ୍ପାନୀଗୁଡ଼ିକ ଦେବାକୁ ଥିବା ସର୍ବନିମ୍ନ ଆୟକର ୩୦%ରୁ କମାଇ ୨୨%କରିଥିଲେ । ଆଉ ମଧ୍ୟ ସେ ଉତ୍ପାଦନକାରୀ ନୂଆ କମ୍ପାନୀଗୁଡ଼ିକ ପାଇଁ ଏହା ୨୫%ରୁ କମାଇ ୧୫% କରିଥିଲେ ‌। ତେଣୁ ଲାଭରେ ବୃଦ୍ଧି ସତ୍ତ୍ୱେ ଆୟକର କମିଯିବାର ଏହା ଏକ ବଡ଼ କାରଣ ‌ ।

ମାନ୍ଦାବସ୍ଥା ଦୁର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ‌। ସରକାର ଭାବିଥିଲେ ଯେ ଏହି ବଡ଼ ବଡ଼ କମ୍ପାନୀଗୁଡ଼ିକୁ ଟିକସରେ ରିହାତି ଦେଲେ ସେମାନେ ବଞ୍ଚୁଥିବା ଟଙ୍କାକୁ ସାନି ପୁଞ୍ଜି ଲଗାଣରେ ଲଗାଇବେ କିମ୍ବା କମ୍ ଟିକସ ଦରରେ ଆକର୍ଷିତ ହୋଇ ବ୍ୟବସାୟ ଓ ଉତ୍ପାଦନ ବିସ୍ତାର କରିବାପାଇଁ ଅଧିକ ପୁଞ୍ଜି ଲଗାଇବେ । କିନ୍ତୁ ତାହା ହେଲା ନାହିଁ । ଜିଡିପିର ଅନୁପାତରେ ପୁଞ୍ଜିଲଗାଣ ଦର ୨୦୨୦-୨୧ରେ ପୁର୍ବ ବର୍ଷ ତୁଳନାରେ ୨୭.୧% କମିଛି ‌। ୨୦୦୭-୦୮ ଠାରୁ ଏହି ଦର କମି କମି ଚାଲିଛି । ସେତେବେଳେ ଏହା ୩୫.୮% ଥିଲା । ତାହେଲେ ଟିକସ ଦର କମିବା ସତ୍ତ୍ୱେ ଏହି କମ୍ପାନୀଗୁଡ଼ିକ ପୁଞ୍ଜି ଲଗାଣ କାହିଁକି ବୃଦ୍ଧି କଲେ ନାହିଁ ? ଏହାର ସରଳ ଉତ୍ତର ମୁଁ ଆଗରୁ ଦେଇ ସାରିଛି । ଯଦି ଲୋକଙ୍କର କ୍ରୟଶକ୍ତି କମିଛି, କମ୍ପାନୀଗୁଡ଼ିକ ଉତ୍ପାଦନ କରୁଥିବା ଜିନିଷର ବଜାରରେ ଚାହିଦା ନାହିଁ ଯେଉଁଥିପାଇଁ ସେମାନେ ସେମାନଙ୍କର ଉତ୍ପାଦନ କ୍ଷମତାର ୬୦-୬୫%ରେ କାରଖାନା ଚଳାଉଛନ୍ତି, ସେମାନେ ସାନି ପୁଞ୍ଜି ଲଗାଣ କରି ଆହୁରି ଉତ୍ପାଦନ କ୍ଷମତା ବଢାଇ ଥାନ୍ତେ କାହିଁକି ? ଟିକସରୁ ବଞ୍ଚିଥିବା ଟଙ୍କାରେ ସେମାନେ ଋଣ ପରିଶୋଧ କଲେ କିମ୍ବା ନିଜ ପାଇଁ ଅନ୍ୟ ଖର୍ଚ୍ଚ କଲେ ।

ବରଂ ସରକାର ଯଦି କମ୍ପାନୀଗୁଡ଼ିକୁ ଟିକସ ରିହାତି ନଦେଇ ବ୍ୟକ୍ତିଗତ ଟିକସ କମାଇ ଥାନ୍ତେ ତେବେ ଅନେକ ଲୋକଙ୍କ ପାଖରେ ଟଙ୍କା ବଞ୍ଚିଥାନ୍ତା ଓ ସେମାନେ ତାହା କିଣିବାରେ ଖର୍ଚ୍ଚ କରିଥାନ୍ତେ । ଏହା ଅର୍ଥବ୍ୟବସ୍ଥାକୁ ଚଳଚଞ୍ଚଳ କରିବା ପାଇଁ ଜରୁରୀ ଥିଲା ।‌ ଅବଶ୍ୟ ପଞ୍ଜିକୃତ କମ୍ପାନୀ ବ୍ୟତୀତ ଅନ୍ୟ ଅପେକ୍ଷାକୃତ ଛୋଟ କମ୍ପାନୀ ମଧ୍ୟ ଥାଆନ୍ତି ଯେଉଁମାନେ ଷ୍ଟକ୍ ଏକ୍ସଚେଞ୍ଜରେ ନିଜକୁ ପଞ୍ଜିକୃତ କରି ନାହାନ୍ତି । ଏଗୁଡ଼ିକ ନିଜର ଜିନିଷ ବିକିବା ପାଇଁ ମୁଖ୍ୟତଃ ବଡ଼ କମ୍ପାନୀଗୁଡ଼ିକ ଉପରେ ନିର୍ଭର କରିଥାନ୍ତି । ଗତବର୍ଷ ବଡ଼ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ଘଟିଥିବାର କାରଣ ସେମାନଙ୍କର ଆୟ କିମ୍ବା ବିକ୍ରି ବୃଦ୍ଧି ନୁହେଁ ‌। ସେମାନେ ଖର୍ଚ୍ଚ କମାଇ ଲାଭ ବଢାଇଛନ୍ତି ‌‌। ଖର୍ଚ୍ଚ କମାଇବା ପାଇଁ ସେମାନେ ଶ୍ରମିକ ଛଟେଇ କରିଛନ୍ତି । ସେମାନଙ୍କୁ କଞ୍ଚାମାଲ ଯୋଗାଉଥିବା ଛୋଟ କମ୍ପାନୀଗୁଡ଼ିକ ସହ ମୁଲଚାଲ କରି ସେମାନଙ୍କ ଠାରୁ କମ୍ ଦରରେ କଞ୍ଚାମାଲ କିଣିଛନ୍ତି । ଏଣେ ଛୋଟ କମ୍ପାନୀଗୁଡ଼ିକ କମ୍ ଦରରେ ଜିନିଷ ବିକ୍ରି ପାଇଁ ବାଧ୍ୟ ହେବାରୁ, ବ୍ୟବସାୟରେ ତିଷ୍ଠି ରହିବା ପାଇଁ, ସେମାନେ ମଧ୍ୟ ସେମାନଙ୍କର ଅନେକ ଶ୍ରମିକଙ୍କୁ ଛଟେଇ କରିଛନ୍ତି ଓ ସେମାନଙ୍କୁ କଞ୍ଚାମାଲ ଯୋଗାଉଥିବା ମଧ୍ୟମ ଓ କ୍ଷୁଦ୍ର ଶିଳ୍ପଠାରୁ କମ୍ ଦରରେ ଜିନିଷ କିଣିଛନ୍ତି ।

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶୃଙ୍ଖଳାରେ ବଡ଼ କମ୍ପାନୀ ମାନେ ଲାଭ ବଢାଇଛନ୍ତି । କିନ୍ତୁ ସେମାନଙ୍କ ତଳେ ଥିବା ଅଣପଞ୍ଜିକୃତ ଛୋଟ କମ୍ପାନୀ, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ କେବଳ ତିଷ୍ଠି ରହିଛନ୍ତି । ଏହା ସହିତ ଅନେକ ଶ୍ରମିକ ରୋଜଗାର ହରାଇଛନ୍ତି । କହିବା ବାହୁଲ୍ୟ ଯେ ଏହା ଦ୍ବାରା ସାଧାରଣ ଲୋକଙ୍କର ପୁଣି ଆୟ କମିଛି ଓ ସେମାନଙ୍କର କ୍ରୟଶକ୍ତି ପୁଣି କମି ମାନ୍ଦାବସ୍ଥାକୁ ଆହୁରି ଉତ୍କଟ କରିଛି । ଶେଷରେ ପ୍ରଶ୍ନ ଉଠେ ଯେ ସରକାର ଲୋକଙ୍କ ହାତକୁ ସିଧା କେମିତି ଟଙ୍କା ପହଞ୍ଚିବ ସେ ବ୍ୟବସ୍ଥା କାହିଁକି କରୁ ନାହାନ୍ତି ? ଏହାର ଉତ୍ତର ରାଜନୈତିକ ହୋଇପାରେ ଏବଂ ତାହା ଏକ ଭିନ୍ନ ଚର୍ଚ୍ଚା ।

The post ଗତ ପାଞ୍ଚ ବର୍ଷ ଧରି ଅର୍ଥବ୍ୟବସ୍ଥା ଚିତ୍କାର କରି କହୁଛି – କମ୍ପାନୀ ନୁହେଁ ସରକାର ଲୋକଙ୍କ ହାତକୁ ଟଙ୍କା ଛାଡ଼ନ୍ତୁ appeared first on Satya Patha.

Read Moreଜାତୀୟ, ରାଜନୀତି, AAP Odisha, GDP, Indian economy, Ranga charana PradhanSatya Patha

Leave a Reply

Your email address will not be published. Required fields are marked *