ମୋଦି ସରକାର ୨୨୫୦ କୋଟି ଟଙ୍କା ଖର୍ଚ କରି ଭେଣ୍ଟିଲେଟର କିଣିଲେ କିନ୍ତୁ ଅଧିକାଂଶ ଖରାପ କାହିଁକି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭେଣ୍ଟିଲେଟର କିଣିବା କୁ ନେଇ ମୋଦି ଓ ପିଏମ୍ କେୟାରସ୍ ଫଣ୍ଡ କାଠଗଡା ରେ। କେନ୍ଦ୍ର ସରକାର ସରକାର ୨ ହଜାର ୨୫୦ କୋଟି ଟଙ୍କା ପିଏମ୍ କେୟାରସ୍ ଫଣ୍ଡ୍ ରୁ ଖର୍ଚ କରି ଭେଣ୍ଟିଲେଟର କିଣିଲେ। କିନ୍ତୁ ଚାରିଆଡୁ ଅଭିଯୋଗ ଆସୁଛି ଯେ ଅଧିକାଂଶ ଭେଣ୍ଟିଲେଟର କାମ କରୁନିଵୋଲି। ଏଗୁଡ଼ିକ କାମ କରୁନଥିବା ନେଇ ଅନେକ ଡାକ୍ତରଖାନା ଅଭିଯୋଗ କରିଛନ୍ତି । ଏପ୍ରିଲ୍ ତୃତୀୟ ସପ୍ତାହରେ ମହାରାଷ୍ଟ୍ରର ଅଉରଙ୍ଗାବାଦର ସରକାରୀ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ପିଏମ୍ କେୟାର ଫଣ୍ଡ୍ ମାଧ୍ୟମରେ ୧୫୦ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲା। ତେବେ ଏହାପରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାର ନଜର ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଥିବା ଏହି ମେସିନ୍ ଗୁଡିକୁ ମରାଠୱାଡା ଅଞ୍ଚଳର ଅନ୍ୟ ଜିଲ୍ଲା ତଥା ଘରୋଇ ଡାକ୍ତରଖାନାଗୁଡ଼ିକୁ ପଠାଯାଇଥିଲା। କିନ୍ତୁ କିଛି ଦିନ ମଧ୍ୟରେ ଅନେକ ଡାକ୍ତରଖାନା ସେଗୁଡ଼ିକୁ ଫେରାଇ ଦେଇଥିଲେ। ଭେଣ୍ଟିଲେଟରଗୁଡିକ କାମ କରୁନଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଏହି ଡାକ୍ତରଖାନାର ଆଠଜଣ ଡାକ୍ତରଙ୍କ ଏକ ଟିମ୍ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ ମୁତାବକ , ଯେଉଁମାନେ ଏହାର ବିଶେଷଜ୍ଞ ଏବଂ ଏହି ମେସିନ ଗୁଡିକୁ ଚଳାଉଥିଲେ ସେମାନଙ୍କ କହିବା କଥା ହେଉଛି ରୋଗୀମାନେ “ଭେଣ୍ଟିଲେଟର ଅନ୍ ହେବାର କିଛି ଘଣ୍ଟା ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାର ଅଭିଯୋଗ କରିବା ଆରମ୍ଭ କରିଥିଲେ”। ଏହି ମେସିନ୍ ଗୁଡିକୁ ତିଆରି କରିଥିବା କମ୍ପାନୀ ଜ୍ୟୋତି ସିଏନସିର ଏକ ଇଞ୍ଜିନିୟର୍ ଟିମ୍ ମେ ୧୪ରେ ଏଗୁଡିକୁ ମରାମତି କରିବା ପାଇଁ ଆସିଥିଲେ ମଧ୍ୟ ଠିକ୍ ହୋଇନଥିଲା। କିନ୍ତୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେ ୨୮ ରେ ଡାକ୍ତରଙ୍କ ରିପୋର୍ଟ ମୁତାବକ “ ଭେଣ୍ଟିଲେଟର ଗୁଡିକ ରାତିସାରା ଭଲ କାମ କରିଥିଲା କିନ୍ତୁ ପରଦିନ ଅପରାହ୍ନରେ ରୋଗୀମାନେ ଅମ୍ଳଜାନ ସମସ୍ୟା ଅଭିଯୋଗ କରିଥିଲେ । ଆଜି ପର୍ଯ୍ୟନ୍ତ, ସମସ୍ତ ୧୫୦ ଭେଣ୍ଟିଲେଟର ମଧ୍ୟରୁ ୧୧୭ ଅବ୍ୟବହୃତ ହୋଇ ପଡି ରହିଛି। ଏବଂ ବାକି ଭେଣ୍ଟିଲେଟର ଗୁଡିକୁ ଅନବକ୍ସ କରାଯାଇନଥିଲା। ଅଉରଙ୍ଗାବାଦରୁ ପଠାଯାଇଥିବା ୨୫ ସୁକ୍ରେସ୍ୱାମୀ ରାମାନନ୍ଦ ତେରଥ ଗ୍ରାମୀଣ ମେଡିକାଲ କଲେଜର ଡିନ୍ ଡକ୍ଟର ଶିବାଜୀ ବାଲାବା କହିଛନ୍ତି । ଏହାର ବ୍ୟବହାର ଦ୍ବାରା ରୋଗୀର ମୃତ୍ୟୁ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। କାରଣ ଯେତେବେଳେ ରୋଗୀର ମୃତ୍ୟୁ ୧୦୦ ପ୍ରତିଶତ ସୁନିଶ୍ଚିତ ସେତେବେଳେ FiO2 ୨୦% କୁ ଖସିଯାଏ। ” FiO2 କିମ୍ବା ଫ୍ରାକସନ୍ ଅଫ୍ ଅକ୍ସିଜେନ ହେଉଛି ବାୟୁରେ ଅମ୍ଳଜାନର ଶତକଡ଼ା ଯାହା ଭେଣ୍ଟିଲେଟର ବ୍ୟବହାର କରି ରୋଗୀର ଫୁସଫୁସରେ ଯାନ୍ତ୍ରିକ ପମ୍ପ୍ ଭାବରେ ବ୍ୟବହାର କରାଯାଏ । କୋର୍ଟଙ୍କୁ ଆଫିଡେଭିଟରେ କେନ୍ଦ୍ର ସରକାର ଦେଇଥିବା ସୂଚନା ତଥା ବିଭିନ୍ନ ଆରଟିଆଇ ଜରିଆରେ ମିଳିଥିବା ସୂଚନା ମୁତାବକ ଗତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ୬୦ ହଜାରରୁ ଅଧିକ ଭେଣ୍ଟିଲେଟର ପାଇଁ କେନ୍ଦ୍ର ପ୍ରାୟ ୨୩୫୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଥିମଧ୍ୟରୁ ଦୁଇ ହଜାର କୋଟି ଟଙ୍କାରେ ୫୦ ହଜାର ଭେଣ୍ଟିଲେଟର କିଣିବା ପାଇଁ ପିଏମ୍ କେୟାର ଫଣ୍ଡ୍ ରୁ ଅର୍ଥ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, “ପିଏମ କେୟାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଆବଣ୍ଟିତ ଭେଣ୍ଟିଲେଟରଗୁଡ଼ିକ ସରକାରୀ ଡାକ୍ତରଖାନାଗୁଡ଼ିକରେ କ୍ରିଟିକାଲ କେୟାର ମେସିନ୍ ର ତିନିଗୁଣ ଅଧିକ”। କିନ୍ତୁ ଅନେକ ଗୁଡ଼ିଏ ରାଜ୍ୟ ଏହାର ଖଣ୍ଡନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେତିକି ଯୋଗାଇ ଦିଆଯାଉଛି ସେଗୁଡ଼ିକ ବ୍ୟବହାର ଉପଯୋଗୀ ନୁହେଁ। ମହାରାଷ୍ଟ୍ର ବ୍ୟତୀତ ଅତି କମରେ ଅନ୍ୟ ଚାରିଟି ରାଜ୍ୟ – ରାଜସ୍ଥାନ, ପଞ୍ଜାବ, ଝାଡଖଣ୍ଡ ଏବଂ ଛତିଶଗଡ ଭେଣ୍ଟିଲେଟରର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଓଲଟା ରାଜ୍ୟ ଉପରେ ଦୋଷ ଲଦିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ରାଜ୍ୟ ସରକାର ଗୁଡିକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ତେବେ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ମେ ୧୫ ତାରିଖରେ ଭେଣ୍ଟିଲେଟରର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଠିକ୍ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ବାସ୍ତବରେ କଣ କେନ୍ଦ୍ର ସରକାର ଭେଣ୍ଟିଲେଟର କିଣିବା ପାଇଁ 2,250 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ? ରାଜ୍ୟ ଗୁଡିକ କରୁଥିବା ଅଭିଯୋଗରେ ସତ୍ୟତା ଅଛି ନା ଏହା ରାଜନୀତି ଦ୍ୱାରା ପ୍ରେରିତ ? ତେବେ ଏ ସମ୍ପର୍କରେ Scroll.in ବିଭିନ୍ନ ଡାକ୍ତର, ସରକାରୀ କର୍ମଚାରୀ ଏବଂ ଭେଣ୍ଟିଲେଟର ଉତ୍ପାଦକଙ୍କ ସହ କଥା ହୋଇଥିଲେ । ତେବେ Scroll.in ର ଯାଞ୍ଚ ରୁ ଜଣାପଡିଛି ଯେ —-

ପ୍ରଥମ : ଭେଣ୍ଟିଲେଟର ଗୁଡିକ କାମ କରୁନଥିବାର ଅଭିଯୋଗ କେବଳ ବିରୋଧୀ ଦଳ ଶାସନ କ୍ଷମତାରେ ଥିବା ରାଜ୍ୟ ଗୁଡିକର ନୁହେଁ। ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ ରାଜ୍ୟଗୁଡ଼ିକର ଡାକ୍ତର ମାନେ କରୁଥିବା ଅଭିଯୋଗ ଗୁଡିକୁ ସରକାର ସାର୍ବଜନୀନ କରୁ ନାହାନ୍ତି। ବିଜେପି ଶାସିତ ତିନୋଟି ରାଜ୍ୟ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଗୋଆର ଡାକ୍ତରମାନେ Scroll.in କୁ କହିଛନ୍ତି ଯେ ସେମାନଙ୍କ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଥିବା କିଛି ଭେଣ୍ଟିଲେଟର ଆଦୌ କାମ କରୁ ନାହିଁ।
ଦ୍ୱିତୀୟ : ଭେଣ୍ଟିଲେଟରଗୁଡିକର କାର୍ଯ୍ୟଦକ୍ଷତା ଗୋଟିଏ ଉତ୍ପାଦକରୁ ଅନ୍ୟ ଉତ୍ପାଦକଙ୍କ ମଧ୍ୟରେ ବହୁତ ଭିନ୍ନ ଥିଲା ବୋଲି ଡାକ୍ତରମାନେ କହିଛନ୍ତି। ଏବଂ ଦୁଇଟି ଘରୋଇ କମ୍ପାନୀର ମଡେଲଗୁଡିକ ବିଶେଷ ଭାବରେ ଖରାପ ଥିବା ଅଭିଯୋଗ ହୋଇଛି। ଗୋଟିଏ ହେଉଛି AgVa, ମୁଖ୍ୟାଳୟ ନୋଏଡାରେ ରହିଛି। ଅନ୍ୟଟି ହେଉଛି ରାଜକୋଟ ଏକ କମ୍ପାନୀ ଜ୍ୟୋତି ସିଏନ୍ସି । ତେବେ ଜ୍ୟୋତି ସିଏନ୍ସି ହେଉଛି ସେହି କମ୍ପାନୀ ଯିଏକି 2019 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନାମରେ ଏକ ମହଙ୍ଗା ସୁଟ୍ ଉପହାର ଦେଇଥିବା କମ୍ପାନୀର ସେୟାର ହୋଲଡର୍। ତେବେ ଏହି ଦୁଇଟି କମ୍ପାନୀର ଭେଣ୍ଟିଲେଟର ତିଆରି କରିବାର କୌଣସି ପୂର୍ବ ଅଭିଜ୍ଞତା ନାହିଁ।
ତୃତୀୟ: କେନ୍ଦ୍ର ସରକାରଙ୍କୁ ଭେଣ୍ଟିଲେଟର ଯୋଗାଉଥିବା ସାତୋଟି କମ୍ପାନୀ ମଧ୍ୟରୁ ଯେଉଁ କମ୍ପାନୀର ସର୍ବାଧିକ ଅଭିଜ୍ଞତା ଥିଲା ଯେଉଁମାନେ ବିଗତ ଦୁଇ ଦଶନ୍ଧି ଧରି ଭେଣ୍ଟିଲେଟର ତିଆରି କରିଆସୁଥିଲା ସେମାନଙ୍କ ଠାରୁ ସବୁଠାରୁ କମ୍ ଅର୍ଡର ଦିଆଯାଇଛି। ବିଡମ୍ବନାର ବିଷୟ, ଏହା କମ୍ପାନୀ ଦ୍ୱାରା ଦିଆଯାଇଥିବା ଭେଣ୍ଟିଲେଟର ଗୁଡିକୁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ନଦେଇ କେନ୍ଦ୍ର ଅଧିନରେ ଥିବା ହସ୍ପିଟାଲ ଗୁଡିକୁ ଦିଆଯାଇଛି।
ଅନେକ ଡାକ୍ତର ଭେଣ୍ଟିଲେଟରଗୁଡିକ ତ୍ରୁଟିପୂର୍ଣ୍ଣ ଅଭିଯୋଗ କରିଥିବା ବେଳେ କେହି କେହି ଏହାର ପରିଚାଳନା କରିବା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବକୁ ମଧ୍ୟ ସ୍ୱୀକାର କରିଛନ୍ତି ।
ତ୍ରୁଟିପୂର୍ଣ୍ଣ କ୍ରୟ :

ତେବେ ଏହା କମ୍ପାନୀଗୁଡିକ ଭେଣ୍ଟିଲେଟର ତିଆରି କରିବାର କୌଣସି ଅଭିଜ୍ଞତା ନାହିଁ । ସାତଟି କମ୍ପାନୀ ମଧ୍ୟରୁ କେବଳ ଦୁଇଟି – ସ୍କାନ୍ ରେ ଯାହା ସରକାରୀ କମ୍ପାନୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଆଲିଏଡ୍ ମେଡିକାଲ୍ ଲିମିଟେଡ୍ ସହ ମିଶି କ୍ରିଟିକାଲ କେୟାର ଭେଣ୍ଟିଲେଟର ଉତ୍ପାଦନ କରିବାର ରେକର୍ଡ ରହିଛି। ଜରୁରୀକାଳୀନ ପରିସ୍ଥିତି ଏବଂ ସୀମିତ ସ୍ୱଦେଶୀ ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଭିଜ୍ଞତା ଦୃଷ୍ଟିରୁ କୌଣସି ମାପଦଣ୍ଡ ସ୍ଥିର କରିପାରୁ ନାହିଁ, କିନ୍ତୁ ଭେଣ୍ଟିଲେଟର କିଣିବା ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ରହିଛି ବୋଲି ଉତ୍ପାଦନକାରୀ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀମାନେ କହିଛନ୍ତି। ଉଦାହରଣ ସ୍ଵରୂପ, ଆଲିଏଡ୍ ମେଡିକାଲ୍ ଲିମିଟେଡ୍, ସର୍ବାଧିକ ଅଭିଜ୍ଞତା ଥିବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାତ୍ର 350 ୟୁନିଟ୍ ଅର୍ଡର ଦିଆଯାଇଛି। ଅପରପକ୍ଷେ, ଅଗଭା ଏବଂ ଜ୍ୟୋତି ସିଏନ୍ସିର ଅଭିଜ୍ଞତା ନଥିବା ସତ୍ବେ ଯଥାକ୍ରମେ 10,000 ଏବଂ 5000 ୟୁନିଟ୍ ଅର୍ଡର ପାଇଥିଲେ। ଆଲିଏଡ୍ ମେଡିକାଲ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ କୋହଲି କହିଛନ୍ତି ଯେ ,” ଯେତେବେଳେ ସରକାର ନିର୍ଦ୍ଦେଶ ଦେଇଥିଲେ, କମ୍ପାନୀମାନଙ୍କୁ କୁହାଯାଇଥିଲା ଯେ ସେମାନଙ୍କୁ ଜୁନ୍ 30, 2020 ସୁଦ୍ଧା ଭେଣ୍ଟିଲେଟର ବିତରଣ କରିବାକୁ ପଡ଼ିବ। ତେଣୁ ଆମେ ସମୟ ସୀମା ମଧ୍ୟରେ ବିତରଣ କରିଥିଲୁ ।”

ଆରଟିଆଇ ଜରିଆରେ ସରକାର ପ୍ରଦାନ କରିଥିବା ସବିଶେଷ ତଥ୍ୟ ଦର୍ଶାଉଛି ଯେ ଅର୍ଡର ପାଇଥିବା ଦୁଇଟି କମ୍ପାନୀ, AMTZ ଏବଂ ଜ୍ୟୋତି ସିଏନ୍ସି, ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ ଗୋଟିଏ ବି ୟୁନିଟ୍ ବିତରଣ କରିନାହାଁନ୍ତି।ତେବେ କୋହଲି କହିଛନ୍ତି ଯେ ,” ମୁଁ ବୁଝିପାରୁଛି ଯେ ମାର୍ଚ୍ଚ 2020 ରେ ହଠାତ୍ ମହାମାରୀ ଆସିଥିବା କାରଣରୂ ସରକାର ଆତଙ୍କିତ ଥିଲେ। “କିନ୍ତୁ ଜୁନ୍ ମାସ [ଡେଲିଭରି ପାଇଁ] ସୁଦ୍ଧା ସରକାର ଅର୍ଡର ଦେଇଥିବା କମ୍ପାନୀ ଗୁଡିକ ଡେଲିଭର ଦେଇଦେବା ଉଚିତ୍। ” ତାଙ୍କ କମ୍ପାନୀର ଭେଣ୍ଟିଲେଟରକୁ ନେଇ କୌଣସି ଅଭିଯୋଗ ହୋଇନାହିଁ ବୋଲି କୋହଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ତରଙ୍ଗରେ ତାଙ୍କ କମ୍ପାନୀ 2,000 ଭେଣ୍ଟିଲେଟର ଏବଂ ଦ୍ୱିତୀୟ ତରଙ୍ଗରେ 2,000 ଏବଂ ଅଧିକାଂଶ ଘରୋଇ ଡାକ୍ତରଖାନା ଗୁଡିକୁ ଭେଣ୍ଟିଲେଟର ଯୋଗାଇ ଦେଇଥିଲେ। ” କେନ୍ଦ୍ର ସରକାର କିଣିଥିବା ଭେଣ୍ଟିଲେଟରର ମୂଲ୍ୟ 15.34 ଲକ୍ଷରୁ 1.66 ଲକ୍ଷ ଟଙ୍କା ମଧ୍ୟରେ ରହିଛି। ମେ ୯ ତାରିଖରେ ରାଜ୍ୟ ସରକାର ମାନଙ୍କୁ ପଠାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ଉତ୍ପାଦକ କମ୍ପାନୀ ମାନଙ୍କ ନାମ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲେ ସେମାନଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ ତାଲିକାଭୁକ୍ତ କରିଛି। ଉଚ୍ଚମାନର ମଡେଲ ତିଆରି କରୁଥିବା କମ୍ପାନୀଗୁଡିକର ନାମ ଏହି ଲିଷ୍ଟ୍ ରୁ ଗାଏବ୍ ଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ଦ୍ୱାରା ପରିଚାଳିତ ଡାକ୍ତରଖାନା ଗୁଡ଼ିକରେ ମହଙ୍ଗା ଭେଣ୍ଟିଲେଟର ଆବଣ୍ଟିତ ହୋଇଥିବାବେଳେ ଶସ୍ତା ଭେଣ୍ଟିଲେଟର ରାଜ୍ୟଗୁଡିକୁ ପଠାଯାଇଛି।

ଗତ ବର୍ଷ ମାର୍ଚ୍ଚ 27 ରେ AgVa କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା। କୋଭିଡ -19 ମହାମାରୀ ପ୍ରବେଶ କରିବା ପରେ ଏହା ହେଉଛି ପ୍ରଥମ ଭେଣ୍ଟିଲେଟର କ୍ରୟ । “ଅତ୍ୟାବଶ୍ୟକ ଚିକିତ୍ସା ଉପକରଣର ଉପଲବ୍ଧତାକୁ ସୁନିଶ୍ଚିତ କରିବା” ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବା ପୂର୍ବରୁ ଏହି ଅର୍ଡର ଦିଆଯାଇଥିଲା। 10,000 ଭେଣ୍ଟିଲେଟର ପାଇଁ ଏହି ଅର୍ଡର ମୂଲ୍ୟ 166.38 କୋଟି ଥିଲା । ୟୁନିଟ୍ ପିଛା 1.66 ଲକ୍ଷ ଟଙ୍କା – ଏକ ଭେଣ୍ଟିଲେଟର କିଣିବା ଦିଆଯାଇଥିବା ରାଶି। ତେବେ ସାଧାରଣ ଭାବେ ଏକ କ୍ବାଲିଟି ଭେଣ୍ଟିଲେଟରର ମୂଲ୍ୟ ସାଧାରଣତଃ 12 ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ । କେତେକ କୁହନ୍ତି ଯେ ମେସିନ୍ ର କ୍ବାଲିଟି ଏହାର ମୂଲ୍ୟ ଉପରେ ନିର୍ଭର କରିଥାଏ। କେରଳ ମେଡିକାଲ ସର୍ଭିସେସ୍ କର୍ପୋରେସନର ଜେନେରାଲ୍ ମ୍ୟାନେଜର ଡକ୍ଟର ଦିଲୀପ କୁମାର ଏସ୍ ଆର କହିଛନ୍ତି ଯେ ଯଦିଓ ଏହାକୁ ଭେଣ୍ଟିଲେଟର କୁହାଯାଏ, ଏହା ଅଧିକ ଶ୍ବସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ରୋଗୀ ମାନଙ୍କ ପାଇଁ ବ୍ୟବହାର ହୋଇଥାଏ ଅମ୍ଳଜାନ ଆବଶ୍ୟକତା ଥିବା ଗୁରୁତର ରୋଗୀଙ୍କ ଉପରେ ଏହାର ବ୍ୟବହାର କରାଯାଇପାରିବ ନାହିଁ। କେରଳ କେନ୍ଦ୍ରରୁ ମୋଟ ୪୮୦ ଟି ଭେଣ୍ଟିଲେଟର ଗ୍ରହଣ କରିଛି – ସରକାରଙ୍କ ଦ୍ୱାରା ପରିଚାଳିତ ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ୩୨୦ ଏବଂ ବାକି AgVa ଦ୍ୱାରା ଦିଆଯାଇଥିଲା। ଦିଲୀପ କୁମାର କହିଛନ୍ତି, “ଆଗଭା ଭେଣ୍ଟିଲେଟରରେ ସଫ୍ଟୱେର୍ ଠାରୁ ଆରମ୍ଭ କରି ହାର୍ଡୱେର୍ ପର୍ଯ୍ୟନ୍ତ ସବୁକିଛି ତ୍ରୁଟିପୂର୍ଣ୍ଣ । ସେ କହିଛନ୍ତି ଯେ,” ଯଦି ଆପଣ ମୋତେ 10 ରୁ ମାର୍କିଂ କରିବା ପାଇଁ କୁହାଯାଏ ତେବେ ମୁଁ ଏହାକୁ 1 କିମ୍ବା 2 ଦେବି। ” ତେବେ AgVa କମ୍ପାନୀର ଭେଣ୍ଟିଲେଟର ଗୁଡିକ ବିରୁଦ୍ଧରେ ଅଭିଯୋଗ ରାଜନୈତିକ ଦ୍ବାରା ପ୍ରେରିତ ଏହାର ଯାଞ୍ଚ ପାଇଁ Scroll.in ଗୁଜୁରାଟ ରାଜ୍ୟର ଉଦାହରଣ ନେଇଛି।
ଗୁଜୁରାଟର ଗାନ୍ଧିନଗରର ଜିଏମର୍ସ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଦୁଇଟି କମ୍ପାନୀ ପକ୍ଷରୁ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲା – BEL ଏବଂ AgVa । BEL ର ମେସିନ୍ ଭଲ କାମ କରୁଥିବାବେଳେ, AgVa ଭେଣ୍ଟିଲେଟରଗୁଡିକ ଖରାପ ହେବାର ଆଶଙ୍କା ଥିଲା। ଡାକ୍ତରଖାନାର ଆନାସ୍ଥେସିଓଲୋଜିର ଆସୋସିଏଟ୍ ପ୍ରଫେସର ଡକ୍ଟର ଭାରତୀ ରଜନୀ କହିଛନ୍ତି ଯେ “ଯେତେବେଳେ ଆମେ ଏହାକୁ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରିବୁ, ସେତେବେଳେ ଏହା ଆବଶ୍ୟକ ପରିମାଣର ଅମ୍ଳଜାନ ପ୍ରଦାନ କରିବ ନାହିଁ। ରୋଗୀମାନେ ଅଭିଯୋଗ କରିବେ ଯେ ସେମାନେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପାଇ ନାହାଁନ୍ତି। ଅଭିଯୋଗ ଆସିବା ପରେ AgVa ମେସିନରେ ସଫ୍ଟୱେୟାରକୁ ଅପଗ୍ରେଡ୍ କରିଥିଲା, ତଥାପି ବି ଏଗୁଡ଼ିକ କାମ କରୁନଥିବା ରଜନୀ କହିଛନ୍ତି। ଗୋଆରେ, ମାରଗାଓ ଜିଲ୍ଲା ଡାକ୍ତରଖାନାର ଡାକ୍ତରୀ ଅଧୀକ୍ଷକ ଡକ୍ଟର ଦୀପା କୋରିଆ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଏହି ଡାକ୍ତରଖାନାକୁ ମଧ୍ୟ BEL ଏବଂ AgVa ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲା। ଯେତେବେଳେ BEL ଭେଣ୍ଟିଲେଟରଗୁଡିକ ଭଲ କାମ କରୁଥିଲା – ଡାକ୍ତରଖାନାର ଏକମାତ୍ର ସମସ୍ୟା ଥିଲା ଯେ ଏହା ସେମାନଙ୍କ ପାଇଁ ପୃଥକ ଭାବରେ ଫ୍ଲୋ ମିଟର ଏବଂ ସର୍କିଟ୍ କିଣିବାକୁ ପଡିବ – ଆଗଭା ଭେଣ୍ଟିଲେଟରଗୁଡିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଡକ୍ଟର କୋରିଆ କହିଛନ୍ତି।
ଉତ୍ତରପ୍ରଦେଶର ମେରଠର ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜରେ ବରିଷ୍ଠ ଆନାସ୍ଥେସିଓଲୋଜିଷ୍ଟ ଡ ଭିପିନ ଧାମା ମଧ୍ୟ AgVa ଉପକରଣଗୁଡିକ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ” ଯେଉଁମାନେ ସରକାରଙ୍କ ଭେଣ୍ଟିଲେଟର କ୍ରୟ ଉପରେ ଅତି ନିକଟରୁ ନଜର ରଖନ୍ତି ସେମାନେ ହୁଏତ AgVA ଉପକରଣଗୁଡ଼ିକୁ ନେଇ ଆସୁଥିବା ଅଭିଯୋଗକୁ ନେଇ ଆଶ୍ଚର୍ଯ୍ୟ ହେବେ ନାହିଁ । ଜୁନ୍ 2020 ରେ, ଏକ ସରକାରୀ ପ୍ୟାନେଲ୍ ଚେତାବନୀ ଦେଇଥିଲା ଯେ AgVa ଉପକରଣଗୁଡିକ “ ଆଇସିୟୁରେ ହାଇ-ଏଣ୍ଡ୍ ଭେଣ୍ଟିଲେଟରର ବ୍ୟବହାର କରିବା ଉଚିତ୍ ନୁହେଁ” ବୋଲି ହଫପୋଷ୍ଟ ଇଣ୍ଡିଆ ରିପୋର୍ଟ କରିଛି। ତେବେ ଏ ସମ୍ପର୍କରେ Scroll.in ଦ୍ବାରା AgVa କୁ ପ୍ରଶ୍ନ କରାଯାଇଥିଲେ ମଧ୍ୟ ସେ ଏସମ୍ପର୍କରେ ଉତ୍ତର ଦେଇ ନାହିଁ।
ଜ୍ୟୋତି ସିଏନ୍ସି କମ୍ପାନୀର ଭେଣ୍ଟିଲେଟର : ‘ବ୍ୟବହାର ପାଇଁ ଫିଟ୍ ନୁହେଁ’
ସେହିପରି, ଜ୍ୟୋତି ସିଏନ୍ସିର ଭେଣ୍ଟିଲେଟରକୁ ନେଇ ମଧ୍ୟ ଅନେକ ଅଭିଯୋଗ ଆସିଛି। ମହାରାଷ୍ଟ୍ର ଡାକ୍ତର ପ୍ୟାନେଲ ଅଉରଙ୍ଗାବାଦ ମେଡିକାଲ କଲେଜ ଏବଂ ହସପିଟାଲକୁ ଦିଆଯାଇଥିବା ଏହି କମ୍ପାନୀର ଭେଣ୍ଟିଲେଟର ଉପରେ ଦେଇଥିବା ରିପୋର୍ଟରେ କହିଛି ଯେ ଏହି ଉପକରଣଗୁଡ଼ିକ ପ୍ରଥମ ଦିନରୁ ତ୍ରୁଟିପୂର୍ଣ୍ଣ ରହିଛି। ସେହିପରି ବିଡ୍‌ ଜିଲ୍ଲାର ସୁକ୍ରେସ୍ୱାମୀ ରାମାନନ୍ଦ ତିର୍ଥ ଗ୍ରାମୀଣ ମେଡିକାଲ କଲେଜର ଡକ୍ଟର ଶିବାଜୀ ବାଲାବା କହିଛନ୍ତି ଯେ, ଏହି କମ୍ପାନୀର ଭେଣ୍ଟିଲେଟର ବ୍ୟବହାର ପାଇଁ ଫିଟ୍ ନୁହଁନ୍ତି। ” ଗତ ବର୍ଷ ଗୁଜୁରାଟରେ ଜ୍ୟୋତିସିଏନ୍ସିର ଭେଣ୍ଟିଲେଟର କୁ ନେଇ ଅଭିଯୋଗ ଆସିଥିଲା। ମେ 2020 ରେ, ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ କମ୍ପାନୀର ଭେଣ୍ଟିଲେଟର କାମ ଦେଉନାହିଁ। ଅବଶ୍ୟ, ସେଗୁଡିକ ରାଜ୍ୟ ସରକାରଙ୍କ ଦ୍ବାରା ମଗାଯାଇଥିଲା । କେନ୍ଦ୍ର ଏବଂ ରାଜ୍ୟ ସରକାର ଅର୍ଡର କରିଥିବା ମଡେଲର ପାର୍ଥକ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ । ଆରଟିଆଇ ସୂଚନା ମୁତାବକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ 5000 ଭେଣ୍ଟିଲେଟର ପାଇଁ ଜ୍ୟୋତି ସିଏନ୍ସିକୁ କେନ୍ଦ୍ର ସରକାର 120.96 କୋଟି ଟଙ୍କାର ଅର୍ଡର ଦେଇଛନ୍ତି । ଭେଣ୍ଟିଲେଟର ପିଛା 2.41 ଲକ୍ଷ ଟଙ୍କା ପଡୁଛି ସାଧାରଣତଃ ଏହା ଏକ ଭଲ ଭେଣ୍ଟିଲେଟର ମୂଲ୍ୟଠାରୁ ବହୁତ୍ କମ୍ । ତେବେ କେନ୍ଦ୍ର ସରକାର ଉଭୟ ଜ୍ୟୋତି ସିଏନ୍ସି ଏବଂ ଆଗଭା, ପ୍ରଧାନମନ୍ତ୍ରୀଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ସେମାନଙ୍କ ଉତ୍ପାଦ ପ୍ରସ୍ତୁତ ହୋଇଛି ଯାହା ସ୍ଥାନୀୟ ଉତ୍ପାଦକମାନଙ୍କୁ ଉତ୍ସାହିତ କରିଥାଏ।

BEL : ‘ ପ୍ରମାଣଯୋଗ୍ୟ ନୁହେଁ କିନ୍ତୁ ପରିଚାଳନାଯୋଗ୍ୟ’

ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପିଏସୟୁ ହେଉଛି ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ । ଏହି କମ୍ପାନୀକୁ ଭେଣ୍ଟିଲେଟର ପିଛା 5.05 ଲକ୍ଷ ଟଙ୍କା ମୂଲ୍ୟରେ 30,000 ଅର୍ଡର ଦେଇଛି। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (DRDO) ସହଯୋଗରେ କମ୍ପାନୀ ଏହାର ଉତ୍ପାଦନ ଆରମ୍ଭ କରିଥିଲା, ମସୁରରେ ଅବସ୍ଥିତ ଏକ ଘରୋଇ କମ୍ପାନୀ ସ୍କାନ୍ ଟେକ୍ନୋଲୋଜି ଦ୍ୱାରା ଡିଜାଇନ୍ ହୋଇଥିବା ଭେଣ୍ଟିଲେଟରର ଉତ୍ପାଦନକୁ ବହୁତ୍ କମ୍ ସମୟରେ ସପ୍ଲାଏ କରାଯାଇଥିଲା।
AgVa ଏବଂ Jyoti CNC ଦ୍ବାରା ଉତ୍ପାଦିତ ମେସିନ୍ ଭଳି BEL ଭେଣ୍ଟିଲେଟର ବିରୋଧରେ ମଧ୍ୟ ସମାନ ଅଭିଯୋଗ ଥିଲା କିନ୍ତୁ ଏଗୁଡ଼ିକ ଅନ୍ୟ ଦୁଇ କମ୍ପାନୀର ପ୍ରଡକ୍ଟ ତୁଳନାରେ ଭଲ ବୋଲି ସେମାନେ କହିଛନ୍ତି। ଉତ୍ତରପ୍ରଦେଶର ଏକ ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି, “ଆପଣ ଏହାକୁ ଏକ ଆନ୍ତର୍ଜାତୀୟ ଉତ୍ପାଦ ସହିତ ତୁଳନା କରିପାରିବେ ନାହିଁ। “ ସେ ଉଦାହରଣ ଦେଇ କହିଛନ୍ତି ଯେ ମର୍ସିଡିଜ୍ ଏବଂ ମାରୁତି ଉଭୟ କାର୍, କିନ୍ତୁ ଉଭୟ କାର ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। କେରଳର କେରଳ ମେଡିକାଲ ସେବା ନିଗମର ମଧ୍ୟ ସମାନ କଥା କହିଛି ଯେ ଏଗୁଡ଼ିକ ସମ୍ପୂର୍ଣ୍ଣ ଖରାପ ନୁହେଁ କିନ୍ତୁ ପରିଚାଳନାଯୋଗ୍ୟ” । ଉତ୍ତରପ୍ରଦେଶରେ କାନପୁର ନାଗରର ଉର୍ସୁଲା ହର୍ସମାନ ମେମୋରିଆଲ ହସପିଟାଲର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡଃ ଅନିଲ ନିଗମ କହିଛନ୍ତି ଯେ “ପିଏମ୍ କେୟାର ଭେଣ୍ଟିଲେଟର କିଛି ସମୟ ପାଇଁ ଚାଲିଥାଏ ଏବଂ ତା’ପରେ ବନ୍ଦ ହୋଇଯାଏ।

ପଞ୍ଜାବର କୋଭିଡ ସାମଗ୍ରୀ କ୍ରୟ କମିଟିର ପରାମର୍ଶଦାତା ଡଃ ରାଜ ବାହାଦୂର କହିଛନ୍ତି ଯେ ବିଏଲ ଭେଣ୍ଟିଲେଟରରେ ତିନୋଟି ସମସ୍ୟା ସୃଷ୍ଟି ରହିଛି । ସେ କହିଛନ୍ତି, “ କମ୍ ପ୍ରେସର ହେତୁ ମେସିନ୍ ଭାଙ୍ଗିବାକୁ ଲାଗନ୍ତି, ସେନ୍ସରଗୁଡ଼ିକ ବେଳେବେଳେ କାମ କରୁନାହିଁ ।” ବାହାଦୁର ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଇଞ୍ଜିନିୟରମାନେ ଏହି ସମସ୍ୟାଗୁଡିକୁ ଠିକ୍ କରିବାକୁ ଚେଷ୍ଟା କରୁ ନାହାନ୍ତି । ସେ କହିଛନ୍ତି, “ସେମାନଙ୍କର ଇଞ୍ଜିନିୟରମାନେ ଯାହା ଦେଖୁଛନ୍ତି ତାହା ଲେଖିବାକୁ ନାରାଜ। ସେମାନେ କାହିଁକି ଏପରି କରନ୍ତି ମୁଁ ଜାଣେ ନାହିଁ। ” ସ୍କ୍ରୋଲ୍.ଇନ୍ ଅନୁସନ୍ଧାନରୁ ଜଣାପଡିଛି ଯେ ବିହାରରେ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବରୁ ରାଜ୍ୟର ଅଧିକାଂଶ ଭେଣ୍ଟିଲେଟର ଅବ୍ୟବହୃତ ହୋଇ ପଡ଼ିଛି। ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାଷ୍ଟେସିଓଲୋଜିଷ୍ଟର ସଭାପତି ଡଃ ମୁରଲିଧର ଯୋଶୀ କହିଛନ୍ତି ଯେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ଭଲ ତାଲିମପ୍ରାପ୍ତ ଆନାସ୍ଥେସିଓଲୋଜିଷ୍ଟମାନେ ମଧ୍ୟ ନୂତନ ଭେଣ୍ଟିଲେଟର ଉପରେ ଅଭିଯୋଗ କରୁଛନ୍ତି। ସେ କହିଛନ୍ତି ଯେ “ କିଛି କିଛି ଡାକ୍ତରଖାନାରେ ଆନାସ୍ଥେସିଓଲୋଜିଷ୍ଟଙ୍କ ସମସ୍ୟା ହୁଏ କିନ୍ତୁ ସମଗ୍ର ଦେଶରୁ ଏଭଳି ଅଭିଯୋଗ ଆସିଛି ” ବୋଲି ସେ କହିଛନ୍ତି ଏବଂ ଭେଣ୍ଟିଲେଟର ଚଳାଇବା ପାଇଁ ବିଶେଷଜ୍ଞଙ୍କ ଆବଶ୍ୟକତା ଥିବା ଏକ ବଡ କାରଣ ବୋଲି ବିଶ୍ୱାସ କରନ୍ତି ନାହିଁ। ଡାକ୍ତରମାନେ ଭେଣ୍ଟିଲେଟର ସାମ୍ନାରେ ବସିବେ ନାହିଁ, ନର୍ସମାନେ ଏହା କରିବେ ବୋଲି ସେ କହିଛନ୍ତି। ଗୁରୁଗ୍ରାମର ମେଡାଣ୍ଟା ଡାକ୍ତରଖାନାର ଜରୁରୀ କାଳୀନ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଗୋଭିଲ କହିଛନ୍ତି ଯେ ଯଦି ସିଷ୍ଟମରେ ଜଣେ ବିଶେଷଜ୍ଞ ଉପଲବ୍ଧ ନହୁଅନ୍ତି, ତେବେ ଭେଣ୍ଟିଲେଟରଗୁଡିକ ବ୍ୟବହାର କରାଯାଇପାରିବ ନାହିଁ। ଗୋଭିଲ୍ ଏହା ମଧ୍ୟ କହିଛନ୍ତି ଯେ କିଛି ନୂତନ ମେଡ୍-ଇନ୍-ଇଣ୍ଡିଆ ଭେଣ୍ଟିଲେଟରରେ ନିଶ୍ଚିତ ଭାବରେ ଏକ ସମସ୍ୟା ରହିଛି। ସେ କହିଛନ୍ତି, “ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟରଗୁଡ଼ିକ ମଧ୍ୟରୁ କେତେକ ଭଲ, ଅନ୍ୟ କେତେକ ଭଲ ଭାବରେ କାମ କରୁ ନୁହଁନ୍ତି। କେତେକ କେନ୍ଦ୍ରରେ ଭେଣ୍ଟିଲେଟର ଚଳାଇବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ନାହାଁନ୍ତି। ” ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ଅଭାବ ବ୍ୟତୀତ କେନ୍ଦ୍ର ସରକାର ଦାବି କରିଛନ୍ତି ଯେ ଭେଣ୍ଟିଲେଟରର ବ୍ୟବହାର ପାଇଁ ଅନେକ ଡାକ୍ତରଖାନାରେ ମୌଳିକ ଭିତ୍ତିଭୂମି ନାହିଁ। ଉଦାହରଣ ସ୍ବରୁପ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମେ ୧୩ ରେ ଏକ ବିବୃତ୍ତିରେ କହିଛି ଯେ “କେନ୍ଦ୍ରୀୟ ଅମ୍ଳଜାନ ଗ୍ୟାସ୍ ପାଇପଲାଇନରେ ଆବଶ୍ୟକ ପ୍ରେସର ଉପଲବ୍ଧତା ନାହିଁ”। ପ୍ରକାଶ ଥାଉକି, ସାରା ଦେଶରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍କ୍ରୋଲ୍.ଇନ୍ ସହିତ ଆଲୋଚନା କରିଥିଲେ – ବିଜେପି ଶାସିତ ରାଜ୍ୟରେ ମଧ୍ଯ ଭେଣ୍ଟିଲେଟରକୁ ନେଇ ଡାକ୍ତରଖାନାର ଡକ୍ଟର ଓ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ। ମେ 28 ର ଏକ ଆଦେଶରେ ବମ୍ବେ ହାଇକୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏ ନେଇ ଜବାବ ତଲବ କରିଥିଲେ। ତେବେ ମନ୍ତ୍ରଣାଳୟ କହିଛି ଯେ “ଡାକ୍ତରୀ ବିଶେଷଜ୍ଞଙ୍କୁ ପ୍ରଶ୍ନ କରିବା ଠାରୁ ଦୂରେଇ ରହିବା ଉଚିତ୍। କିନ୍ତୁ ମେସିନ୍ ସହିତ କୌଣସି ତ୍ରୁଟି ଗ୍ରହଣ କରିବାକୁ କେନ୍ଦ୍ର ସରକାର ନାରାଜ ଥିବା ବେଳେ ରାଜ୍ୟ ତଥା ଡାକ୍ତରଖାନା କର୍ତ୍ତୃପକ୍ଷ ନିଜେ ଅନ୍ୟ ବିକଳ୍ପ ଖୋଜୁଥିବା ଦେଖାଯାଉଛି। ବିଡର ସୁକ୍ରେସ୍ୱାମୀ ରାମାନନ୍ଦ ତିର୍ଥ ଗ୍ରାମୀଣ ମେଡିକାଲ କଲେଜର ଡକ୍ଟର ଶିବାଜୀ ବାଲାବା କହିଛନ୍ତି ଯେ ଆମେ ବିଦେଶରୁ 20 ଟି ନୂତନ ଭେଣ୍ଟିଲେଟର ଅର୍ଡର କରିଛୁ, ଯାହା ଅତୀତରେ କୌଣସି ସମସ୍ୟା ଦେଖା ଦେଇ ନାହିଁ।

( ଏହି ରିପୋର୍ଟ ଅରୁଣାଭ ସାଇକିଆଙ୍କ ଦ୍ବାରା www.scroll.in ରେ ପ୍ରକାଶିତ। ଏଥିରେ ପ୍ରକାଶ କରାଯାଇଥିବା ତଥ୍ୟ ର ମୂଳ ସ୍ଵତାଧୀକାର scroll.in ଅଟେ। ସତ୍ୟପାଠ ରେ କେଵଳ ଅନୁଵାଦ ପ୍ରକାଶ ପାଇଛି।)

The post ମୋଦି ସରକାର ୨୨୫୦ କୋଟି ଟଙ୍କା ଖର୍ଚ କରି ଭେଣ୍ଟିଲେଟର କିଣିଲେ କିନ୍ତୁ ଅଧିକାଂଶ ଖରାପ କାହିଁକି ? appeared first on Satya Patha.

Read Moreକରୋନା, ଜାତୀୟ, ରାଜନୀତି, corona, pm caers fund, VentilatorSatya Patha

Leave a Reply

Your email address will not be published. Required fields are marked *