ଗଣମାଧ୍ୟମ ଗଣଙ୍କ ମାଧ୍ୟମ ହେଉ

ଭୁବନେଶ୍ୱର: ମହାମାରୀ ସମୟରେ ଅନେକ ଥର ନଜିର ରହିଛି ଗୋଟିଏ ଛୋଟ କଥାକୁ ଗଣମାଧ୍ୟମ ଅତିରଂଜିତ କରି ଖବର ପ୍ରସାରଣ କରିଥାନ୍ତି । ଏହାଦ୍ୱାରା ଅଯଥାରେ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହେବା ସହ କିଛି କ୍ଷେତ୍ରରେ ଲୋକେ ଆତଙ୍କିତ ମଧ୍ୟ ହୋଇଥାନ୍ତି । ତେବେ ବିକା ଖବର ବଦଳରେ ଗଣମାଧ୍ୟମ ସଚେତନତା, ସୂଚନା କିମ୍ବା ସତର୍କତାମୂଳକ ଖବର ପ୍ରସାରଣ କିମ୍ବା ପ୍ରକାଶ କରିବା ଉଚିତ୍ ।
କରୋନା ମହାମାରୀକୁ ନେଇ ସରକାର ତଥ୍ୟ ଲୁଚାଇବା ନେଇ ଅନେକ ତର୍କବିତର୍କ ଚାଲିଛି । କେତେବେଳେ କରୋନା ସଂକ୍ରମଣ ତ ପୁଣି କେତେବେଳେ ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ବାଦ ବିବାଦ ଗଣମାଧ୍ୟମ ଡିବେଟ୍‌ରେ ସ୍ଥାନ ପାଉଛିି । ଗଣମାଧ୍ୟମ ଜନତାଙ୍କ ସ୍ୱର ହେବା ବଦଳରେ ନେତା ଓ ମନ୍ତ୍ରୀଙ୍କ ବୋଲକରା ସାଜିଛନ୍ତି ।

କେଉଁ ଗଣମାଧ୍ୟମ କେଉଁ ଦଳର ମୁଖପାତ୍ର ସାଜିଛି, ତାହା ଆଜି କାହାକୁ ବି ଅଛପା ନାହିଁ । ତଥାପି ସମାଜ ଖବର ପ୍ରସାରଣ ସଂସ୍ଥାକୁ ବିଶ୍ୱାସ କରେ । ସେଥିପାଇଁ ଆମେ ଆଶା କରୁଛୁ ଗଣମାଧ୍ୟମ ସାଧାରଣ ଜନତାଙ୍କ ବିଶ୍ୱାସକୁ ବଜାୟ ରଖନ୍ତୁ । ନେତାଙ୍କ ହାତଟେକା ଅର୍ଥ ଅପେକ୍ଷା ଜନତାଙ୍କ ହାତ ଉଠା ଆର୍ଶିବାଦ ଅଧିକ ପ୍ରଭାବୀ ।

ଗୋଟିଏ ଗଣମାଧ୍ୟମ ସଂସ୍ଥା ବାତ୍ୟାର କ୍ଷୟକ୍ଷତିକୁ ଆକଳନ କରୁଛି । ଅନ୍ୟପଟେ ଆଉ ଏକ ଖବର ପ୍ରସାରଣ ସଂସ୍ଥା ଏହାକୁ ବିରୋଧ କରୁଛି । ତେବେ ଏପରି ସ୍ଥିତିରେ ଅନ୍ୟ କୌଣସି ଗଣମାଧ୍ୟମ ସଂସ୍ଥା ସରକାରଙ୍କ ଘୋଷଣାକୁ କେବଳ ସମର୍ଥନ ଜଣାଉଛି ।

ଆଗକୁ ଆସୁଛି ପଂଚାୟତ ନିର୍ବାଚନ । କେବଳ ଦଳୀୟ ଇମେଜକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ନେତାମାନେ ପ୍ରେସ୍‌ମିଟ୍‌ର ଆୟୋଜନ କରୁଛନ୍ତି । ଏହି ପ୍ରେସ୍‌ମିଟ୍‌ରେ ନେତାମାନେ କ୍ଷୟକ୍ଷତିର ଆକଳନ, ରିଲିଫ ବଣ୍ଟନ ଓ କ୍ଷତିପୂରଣର ଲମ୍ବା ତାଲିକା ପ୍ରଦାନ କରି ବାହାଦୁରୀ ମାରୁଛନ୍ତି ।

କରୋନା ସଂକ୍ରମଣ ଓ ବାତ୍ୟା ପରି ସ୍ଥିତି ଭଳି ଦୁଇଦୁଇଟି ସମସ୍ୟା ଦେଇ ରାଜ୍ୟ ଗତି କରୁଛି । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମାନ ପଥ ଅବଲମ୍ବନ କରି ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଆକଳନ କରିଦେଲେ । ରାଜ୍ୟ ରେ ଉପ ନିର୍ବାଚନ ସମୟରେ ସଫଳତା ହାସଲ କରିବା ପାଇଁ ଦଳଗୁଡିକ ପ୍ରତି ପଂଚାୟତ ପିଛା ଜଣେ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାର ପନ୍ଥା ଅବଲମ୍ବନ କରିଥାନ୍ତି ,ଠିକ୍ ଏହି ପନ୍ଥା ମହାମାରୀ ସମୟରେ ଲୋକଙ୍କ ପାଇଁ ଅବଲମ୍ବନ କଲେ ସାଧାରଣ ଲୋକେ ଖୁବଶୀଘ୍ର ମହାମାରୀ ଚକ୍ରବ୍ୟୁହରୁ ମୁକ୍ତି ପାଇପାରିବେ ।

ଟୀକାକରଣର ଗୁରୁତ୍ୱ ଓ ସରଳୀକରଣ କରିବା ପରିବର୍ତ୍ତେ ରାଜନୈତିକ ଦଳଗୁଡ଼ିକ ସମସ୍ତେ ପରସ୍ପରକୁ କାଦୁଅ ଫୋପାଡିବାରେ ବ୍ୟସ୍ତ ଅଛନ୍ତି । ପ୍ରତି ୱାର୍ଡ ଓ ପଂଚାୟତରେ ସମସ୍ତ ସ୍ଥାନୀୟ ନେତା ଦଳଗତ ନିର୍ବିଶେଷରେ ଏକାଠି କାମ କରିବାର ସମୟ ଆସିଯାଇଛି ।

Ama TvRead More

Leave a Reply

Your email address will not be published. Required fields are marked *