ଟିକା ରାଜନୀତି – ଅର୍ଦ୍ଧସତ୍ୟ ବନାମ ସମ୍ପୂର୍ଣ ସତ୍ୟ

(ରଙ୍ଗା ଚରଣ ପ୍ରଧାନ — ମୁଖପାତ୍ର, ଆପ୍ ଓଡ଼ିଶା)

ମଇ ୨୮ ତାରିଖରେ ଦୈନିକ ସମ୍ବାଦରେ ଟୀକାକରଣ ସମ୍ବନ୍ଧରେ ଏକ ଲେଖା ପ୍ରକାଶ ପାଇଛି । ଲେଖାର ଶୀର୍ଷକ ହେଉଛି ‘ଟିକାକରଣ ନେଇ କିଛି ପ୍ରଶ୍ନ ଓ କେନ୍ଦ୍ରର ଉତ୍ତର : ବିଦେଶରୁ ଟିକା କିଣିବା ପାଇଁ ଭାରତ ଉଦ୍ୟମ କରୁନାହିଁ କି ?’ ନିତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ତଥା ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ବିନୋଦ ପଲ୍ ଙ୍କ ଦ୍ଵାରା ୭ଟି ତଥାକଥିତ ବିକୃତ କଥା ଓ ଅର୍ଦ୍ଧସତ୍ୟକୁ ଖଣ୍ଡନ କରିବାକୁ ଯାଇ ଦିଆ ଯାଇଥିବା ଉତ୍ତରର ସାରାଂଶ ଏହି ଲେଖାରେ ଦିଆଯାଇଛି । ସେହି ଉତ୍ତରର ପ୍ରତ୍ୟୁତର ନିମ୍ନରେ ଦିଆଯାଇଛି ଯାହାକୁ ପଢ଼ିଲେ ଜଣାଯିବ ପ୍ରକୃତରେ କିଏ ବିକୃତ ଓ ଅର୍ଦ୍ଧସତ୍ୟ କହୁଛି ।

୧. ବିଦେଶରୁ ଟିକା କିଣିବା ପାଇଁ ଭାରତ ଉଦ୍ୟମ କରୁନାହିଁ କି ?

ଏହାର ଉତ୍ତର ରଖିବାକୁ ଯାଇ ଶ୍ରୀଯୁକ୍ତ ପଲ୍ ଦର୍ଶାଇଛନ୍ତି ଯେ ବିଦେଶରୁ ଟିକା କିଣିବା ଦୋକାନର ଥାକରୁ ସଉଦା ଉଠାଇବା ଭଳି ସହଜ ନୁହେଁ। ବିଦେଶୀ ଟିକା କମ୍ପାନୀଗୁଡିକର କେତେକ ନିଜସ୍ଵ ବାଧ୍ୟବାଧକତା ସତ୍ତ୍ୱେ, ୨୦୨୦ ମସିହାର ମଧ୍ୟଭାଗରୁ ଭାରତ ସରକାରଙ୍କର ସେମାନଙ୍କ ସହ ଯୋଗାଯୋଗର ପରିଣତି ସ୍ଵରୁପ ଭାରତକୁ ଏବେ ରୁଷର ସ୍ପୁଟନିକ୍ ଭି ଟିକା ଆସିପାରିଛି । ସେ ଆହୁରି ଲେଖିଛନ୍ତି ଯେ ଟିକାର ଉପଲବ୍ଧତା ନେଇ ଫାଇଜର୍ ସୂଚନା ଦେବା ପରେ କେନ୍ଦ୍ର ସରକାର ଓ କମ୍ପାନୀ ମଧ୍ୟରେ ଯଥାଶୀଘ୍ର ଆମ ଦେଶକୁ ଟିକା ଆଣିବା ପାଇଁ କଥାବାର୍ତ୍ତା ଚାଲିଛି ।

ଶ୍ରୀ ପଲ୍ ଙ୍କ ଏହି ଉତ୍ତରରେ ଏକଥା ଦର୍ଶାଯାଇ ନାହିଁ ଯେ ସରକାରଙ୍କର ତଥାକଥିତ ପ୍ରଚେଷ୍ଟା ସତ୍ତ୍ୱେ ଭାରତ ଟିକା ପାଇଁ ପ୍ରଥମ ଅର୍ଡର ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଦେଇ ନଥିଲା । ଅଥଚ ପୃଥିବୀର ଅନେକ ଦେଶ ଟିକା ପାଇଁ ଗବେଷଣା ଚାଲିଥିବା ସମୟରୁ ବା ୨୦୨୦ ମସିହା ଜୁନ୍ ମାସରୁ ବିଭିନ୍ନ କମ୍ପାନୀଗୁଡ଼ିକୁ ଟିକା ପାଇଁ ଅଗ୍ରୀମ ଅର୍ଥ ଦେଇ ସାରିଥିଲେ । ଆମ ପଡ଼ୋଶୀ ବଙ୍ଗଳାଦେଶ ମଧ୍ୟ ଗତବର୍ଷ ନଭେମ୍ବର ମାସରେ ଟିକା ପାଇଁ ଭାରତର ସେରମ୍ ଇନିଷ୍ଟିଚ୍ୟୁଟ୍ କୁ ଅର୍ଡର ଦେଇଥିଲା । କିନ୍ତୁ ବିଦେଶୀ କମ୍ପାନୀକୁ ଛାଡ଼ନ୍ତୁ, ଏପରିକି ନିଜ ଦେଶରେ ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନିଷ୍ଟିଚ୍ୟୁଟକୁ ଭାରତ ସେ ସମୟରେ ଅର୍ଡର ଦେଇ ନଥିଲା ।

ଟିକା ପାଇଁ ଅର୍ଡର ଦେବା ପୁର୍ବରୁ ତାହାକୁ ସରକାରଙ୍କ ତରଫରୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦିଆ ଯାଇଥାଏ । ଏପ୍ରିଲ୍ ମାସ ପର୍ଯ୍ୟନ୍ତ କୌଣସି ବିଦେଶୀ କମ୍ପାନୀର ଟିକାକୁ ଭାରତ ସରକାର ସେହି ମଞ୍ଜୁରି ଦେଇ ନଥିଲେ । ସରକାର ଜାଣିଥିଲେ ଯେ ଭାରତର ଲୋକସଂଖ୍ୟା ପାଖାପାଖି ୧୩୭ କୋଟି ଓ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ଟିକାକରଣ ପାଇଁ ଦିନକୁ ୪୨ ଲକ୍ଷ ଟିକା ଦିଆଗଲେ ମଧ୍ୟ ସେମାନଙ୍କୁ ଟିକା ଦେବା ପାଇଁ ଏକ ବର୍ଷ ସମୟ ଲାଗିଯିବ । ଦେଶରେ ଉତ୍ପାଦନ କରୁଥିବା ଦୁଇଟି କମ୍ପାନୀର ମୋଟ ଟିକା ଉତ୍ପାଦନ କ୍ଷମତା ଯେତିକି ଅଛି ସେସବୁ ଟିକା ବିଦେଶକୁ ନ ପଠେଇ କେବଳ ଭାରତର ଲୋକଙ୍କୁ ଦିଆଗଲେ ବି ଦିନକୁ ଅତି ବେଶୀରେ ୨୮ ଲକ୍ଷ ଟିକା ଦିଆଯାଇପାରିବ । କିନ୍ତୁ ସେମାନେ ଟିକା ରପ୍ତାନି ପାଇଁ ଆଗରୁ ଅଗ୍ରୀମ ଅର୍ଥ ଆଣି ସାରିଥିଲେ । ସେରମ୍ ଇନିଷ୍ଟିଚ୍ୟୁଟର ମାଲିକ ଆଧାର ପୁନାଓ୍ବାଲା ଗତବର୍ଷ ଅକ୍ଟୋବର ମାସରେ କହିଥିଲେ ଯେ ସେମାନଙ୍କ ଉତ୍ପାଦନର ଅର୍ଦ୍ଧେକ ରପ୍ତାନୀ ହେବ । ତେଣୁ ସରକାରଙ୍କୁ ଏକଥା ପରିଷ୍କାର ଭାବେ ଜଣାଥିଲା ଯେ କେବଳ ଦେଶୀୟ ଉତ୍ପାଦନ ଉପରେ ନିର୍ଭର ନ ରହି ଆମକୁ ବିଦେଶୀ ଟିକା ଉପରେ ନିର୍ଭର ରହିବାକୁ ପଡିବ । ସରକାରଙ୍କୁ ଏହି ଜିନିଷଟି ବୁଝିବା ପାଇଁ ଏପ୍ରିଲ ମାସ ପର୍ଯ୍ୟନ୍ତ ସମୟ କାହିଁକି ଲାଗିଲା ଶ୍ରୀ ପଲ୍ ତାହା ଜଣାଇ ନାହାନ୍ତି ।

୨. ବିଶ୍ବରେ ଉପଲବ୍ଧ ହେଉଥିବା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇନାହାନ୍ତି କି ?

ଏ ପ୍ରଶ୍ନର ଉତ୍ତରରେ ଶ୍ରୀ ପଲ୍ କହିଛନ୍ତି ଯେ ବିଶ୍ବର ବିଭିନ୍ନ ନିୟାମକ ସଂଗଠନ ଦ୍ଵାରା ତାଲିକାଭୁକ୍ତ ଓ ମଞ୍ଜୁରୀ ପାଇଥିବା ଟିକାକୁ କେନ୍ଦ୍ର ସରକାର ତାଙ୍କ ନିଜଆଡୁ ‌ଭାରତରେ ବ୍ୟବହାର ପାଇଁ ଏପ୍ରିଲରେ ଅନୁମତି ଦେଇସାରିଛନ୍ତି। ଭାରତର ଔଷଧ ନିୟାମକଙ୍କ ନିକଟରେ କୌଣସି ବିଦେଶୀ ଟିକା ନିର୍ମାତାଙ୍କ ଆବେଦନ ମଞ୍ଜୁରି ପାଇଁ ପଡ଼ି ରହିନାହିଁ।

ଶ୍ରୀ ପଲ୍ ଉତ୍ତର ଦେଇ ନାହାନ୍ତି ଯେ ମଞ୍ଜୁରୀ ଦେବାପାଇଁ ସରକାର ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେ । ଯେ ପର୍ଯ୍ୟନ୍ତ କରୋନା ଦ୍ବିତୀୟ ଲ଼ହରର କରାଳ କାୟା ଚରମ ଆକାର ଧାରଣ କରି ନଥିଲା ସେ ପର୍ଯ୍ୟନ୍ତ ସରକାର ଏହି ମଞ୍ଜୁରୀ ଦେଇ ନଥିଲେ । ସ୍ଫୁଟନିକ୍ ଭିକୁ ସେମାନଙ୍କର ଇମୁନୋଜେନେସିଟି ଡାଟା ନାହିଁ ବୋଲି ଦର୍ଶାଇ ସରକାର ଚଳିତ ବର୍ଷ ଫେବୃଆରୀରେ ମଞ୍ଜୁରୀ ଦେବାକୁ ମନା କରିଥିଲେ । ଅଥଚ କୋଭିସିଲ୍ଡ ପାଖରେ ସେହି ଡାଟା ନଥିବା ସତ୍ତ୍ୱେ ଭାରତ ତାହାକୁ ଜାନୁଆରୀ ମାସରେ ମଞ୍ଜୁରୀ ଦେଲେ । ତେଣୁ ଏହି ଦୁଇଟି ଟିକା ପାଇଁ ଭିନ୍ନ ଭିନ୍ନ ମାନଦଣ୍ଡ କାହିଁକି ?

ସେହିପରି ଗତ ଫେବୃଆରୀ ମାସରେ ଫାଇଜର ଟିକାକୁ ସରକାର ଏଇଆ କହି ମଞ୍ଜୁରୀ ଦେବାକୁ ମନା କରିଥିଲେ ଯେ ସେମାନେ ସ୍ଥାନୀୟ ସ୍ତରରେ ଟିକାର ପରୀକ୍ଷଣ କରି ନାହାନ୍ତି ଯଦିଓ ଏହି ଟିକାକୁ ସେତେବେଳକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ଦେଇ ସାରିଥିଲା । ଅଥଚ ନିଜ ଦେଶରେ ପ୍ରସ୍ତୁତ ଓ ଖୁବ୍ କମ୍ ଉତ୍ପାଦନ ହେଉଥିବା କୋଭାକ୍ସିନ୍ ଟିକାର ଏ ପର୍ଯ୍ୟନ୍ତ ତୃତୀୟ କ୍ରମ ପରୀକ୍ଷଣର ଡାଟା ଉପଲବ୍ଧ ନ ଥିବା ସତ୍ତ୍ବେ ସରକାର ତାହାକୁ ଜାନୁଆରୀ ମାସରେ ମଞ୍ଜୁରୀ ଦେଇ ସାରିଛନ୍ତି । ଏପରି ନିଷ୍ପତି ପଛରେ ସରକାରଙ୍କର ତଥାକଥିତ ଆତ୍ମନିର୍ଭର ଭାରତ ସ୍ଲୋଗାନକୁ ଚରିତାର୍ଥ କରିବା ଉଦ୍ଦେଶ୍ୟ ଥିଲା । ଅସଲରେ କରୋନାର ବିଧ୍ବଂସଲୀଳା ବଢିବା , ଟୀକାର ଉତ୍କଟ ଅଭାବ ଓ ଜନମତର ଚାପ ଯୋଗୁଁ ହିଁ ସରକାର ଗତ ଏପ୍ରିଲ୍ ମାସରେ ନିଜ ଚିନ୍ତାଧାରା ବଦଳାଇ ଅନେକ ଗୁଡ଼ିଏ ବିଦେଶୀ ଟିକାକୁ ମଞ୍ଜୁରୀ ଦେବା ଆରମ୍ଭ କଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା ଏବଂ ଅଧିକାଂଶ ବିଦେଶୀ ଟିକା କମ୍ପାନୀ ଅନ୍ୟମାନଙ୍କ ଠାରୁ ଆଗରୁ ପାଇଥିବା ଅର୍ଡର ଅନୁଯାୟୀ ଟୀକା ଉତ୍ପାଦନ ଓ ଯୋଗାଣରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।

୩. ଦେଶରେ ଟିକା ଉତ୍ପାଦନ ପାଇଁ କେନ୍ଦ୍ର ଯଥେଷ୍ଟ ପଦକ୍ଷେପ ନେଉନାହିଁ କି ?

ଏହାର ଉତ୍ତରରେ ଶ୍ରୀ ପଲ୍ କହିଛନ୍ତି ଯେ ଭାରତ ବାୟୋଟେକ୍ ସହିତ ଆଉ ୩ଟି କମ୍ପାନି/ପ୍ଲାଣ୍ଟରେ କୋଭାକ୍ସିନ ଟିକା ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା ଡିସେମ୍ବର ବେଳକୁ ଏମାନେ ମାସିକ ୪କୋଟି ଡୋଜ୍ ଟିକା ଉତ୍ପାଦନ କରିବେ। ଭାରତ ବାୟୋଟେକର ଟିକା ଉତ୍ପାଦନ କ୍ଷମତା ମାସିକ ୧ କୋଟିରୁ ୪ କୋଟିକୁ ବୃଦ୍ଧି କରାଯାଇଛି। ଆସନ୍ତା ଡିସେମ୍ବର ବେଳକୁ ଏହା ୧୦ କୋଟିରେ ପହଞ୍ଚିବ। ସେହିଭଳି ସରକାରୀ ପ୍ରୋତ୍ସାହନରେ ‌ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍‌ଡ ଟିକା ଉତ୍ପାଦନ କ୍ଷମତା ମାସିକ ୬.୫ କୋଟି ଡୋଜ୍‌ରୁ ୧୧ କୋଟି ଡୋଜ୍‌କୁ ବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଡକ୍ଟର ରେଡିସ୍ ସହଯୋଗରେ ଭାରତର ୬ଟି କମ୍ପାନି ରୁଷିଆର ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବେ। ଜାଇଡସ କାଡିଲା, ବାୟୋଇ ଏବଂ ଜେନୋଭାକୁ ସ୍ବଦେଶୀ ଟିକା ଉତ୍ପାଦନ ପାଇଁ କରୁଥିବା ଉଦ୍ୟମକୁ ମଧ୍ୟ କେନ୍ଦ୍ର ସରକାର କୋଭିଡ ସୁରକ୍ଷା ସ୍କିମ୍ ଅଧୀନରେ ସହାୟତା ଯୋଗାଇ ଦେଉଛନ୍ତି। ଭାରତ ସରକାରଙ୍କ ପାଣ୍ଠିରେ ଭାରତ ବାୟୋଟେକ ‌ନାକବୁନ୍ଦା ଟିକା ପାଇଁ କାର୍ଯ୍ୟ କରୁଛି। ଏହା ସଫଳ ‌ହେଲେ ବିଶ୍ବ ପାଇଁ ଏକ ବଡ଼ ସଫଳତା ଆସିପାରିବ। ୨୦୨୧ ଶେଷ ସୁଦ୍ଧା ଭାରତରେ ୨୦୦ କୋଟିରୁ ଅଧିକ ଟିକା ଉତ୍ପାଦନ କରିବ ।

ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର ଉତ୍ପାଦନ ଲକ୍ଷ ପାଇଁ ଡିସେମ୍ବର ମାସର ସୀମା କାହିଁକି ଧାର୍ଯ୍ୟ କରୁଛନ୍ତି ? ଏହା ଦ୍ବାରା ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହେବ ନାହିଁ କି ? ସରକାରଙ୍କର ତଥାକଥିତ ତମାମ ଉଦ୍ୟମ ଅତି ବିଳମ୍ବରେ ନିଆ ଯାଇନାହିଁ କି ? ଉଭୟ ସେରମ୍ ଇନିଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ କହିଥିଲେ ଯେ ମଇ ମାସ ସୁଦ୍ଧା ଯଥାକ୍ରମେ ମାସିକ ୧୦ କୋଟି ଓ ୩ କୋଟି ଟିକା ଉତ୍ପାଦନ କରିବେ । ସେହି ହିସାବରେ ଚଳିତ ମାସରେ ଦିନକୁ ୪୨ ଲକ୍ଷ ଟିକାକରଣ ହୋଇଥାନ୍ତା । ଏହା ପୁର୍ବରୁ ସରକାର କହିଥିଲେ ଯେ ଏପ୍ରିଲ୍ ମାସରେ ଏହି ୨ଟି କମ୍ପାନୀ ଦ୍ଵାରା ମାସିକ ମୋଟ ୮.୫ କୋଟି ବା ଦିନକୁ ୨୭ ଲକ୍ଷ ଟିକା ଉତ୍ପାଦନ ହେଉଥିଲା । ଅଥଚ ମଇ ମାସରେ ଦେଖା ଯାଇଛି ଯେ ଦୈନିକ ହାରାହାରି ୧୩ରୁ ୧୬ ଲକ୍ଷ ଟିକା ଦିଆଯାଇଛି । ଉତ୍ପାଦନ ଓ ଟିକାକରଣ ମଧ୍ୟରେ ଏତେ ବଡ଼ ପାର୍ଥକ୍ୟର କାରଣ କେବେ ବି ଟିକା ନଷ୍ଟ ହୋଇ ନପାରେ ।

ସରକାରଙ୍କ ତମାମ ପ୍ରୋତ୍ସାହନର ଦାବୀ ସତ୍ତ୍ବେ ବାସ୍ତବତା ହେଉଛି ଯେ ସରକାର କୈାଣସି ଦେଶୀୟ ଟିକା କମ୍ପାନୀର ଉତ୍ପାଦନ କ୍ଷମତା ବଢାଇବା ପାଇଁ ଏପର୍ଯ୍ୟନ୍ତ ଟଙ୍କାକର ବି ପୁଞ୍ଜି ଲଗାଇ ନାହାନ୍ତି । ନିକଟରେ ସେରମ୍ ଇନିଷ୍ଟିଚ୍ୟୁଟକୁ ୩୦୦୦ କୋଟି ଓ ଭାରତ ବାୟୋଟେକକୁ ଯେଉଁ ୫୦୦ କୋଟି ଟଙ୍କା ଦିଆଯାଇଛି ତାହା ହେଉଛି ଟିକା କିଣିବା ପାଇଁ ଅଗ୍ରୀମ ରାଶି । ଅନ୍ୟ ପକ୍ଷରେ ଟିକା ପାଇଁ ଗବେଷଣା ଚାଲିଥିବା ବେଳରୁ ହିଁ ତାହାର ସଫଳତାର ସମ୍ଭାବନାକୁ ଖାତିର ନକରି ଅନେକ ଦେଶ ଗତ ବର୍ଷରୁ ସେହିସବୁ ଟିକା ଉତ୍ପାଦନ ପାଇଁ ପୁଞ୍ଜି ଲଗାଇ ସାରିଥିଲେ ଓ ଉତ୍ପାଦନ ଆରମ୍ଭ ହେବା ମାତ୍ରେ ସେମାନେ ଆଗୁଆ ଓ ଶସ୍ତାରେ ଟିକା କିଣିନେଲେ ।

ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍କୋଭାକ୍ସିନ୍ ଟୀକାର ବୌଦ୍ଧିକ ସମ୍ପତି ସତ୍ତ୍ବର ଯୁଗ୍ମ ମାଲିକ ହେଉଛନ୍ତି ଉଭୟ ଭାରତ ବାୟୋଟେକ୍ କମ୍ପାନୀ ଓ ନିଜେ ଭାରତ ସରକାର । ଶ୍ରୀ ପଲ୍ ଯେଉଁ ଦର୍ଶାଇଛନ୍ତି ଯେ ତିନୋଟି କମ୍ପାନୀ/ପ୍ଲାଣ୍ଟକୁ ଏହି ଟିକା ଉତ୍ପାଦନ ପାଇଁ କୁହାଯାଇଛି ସେଥିପାଇଁ ସରକାର ଏପ୍ରିଲ୍ ମାସ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେ, ଯେତେବେଳେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ଧମକ ଦେଲେ ? ତା ଛଡା ଶ୍ରୀ ପଲ୍ ଦର୍ଶାଇଥିବା ନାକବୁନ୍ଦା ଟିକା ଓ ଅନ୍ୟାନ୍ୟ ଉଦ୍ୟମ ଏବେ ପରୀକ୍ଷଣ ଅବସ୍ଥାରେ ଥିବା ବେଳେ ସରକାର ତାହାକୁ ଏବେଠାରୁ ହିସାବକୁ ନେଇ ଟିକା ଉତ୍ପାଦନ ପାଇଁ ଅତି ମହତ୍ବକାଂକ୍ଷୀ ଲକ୍ଷ ଧାର୍ଯ୍ୟ କରିବା କେତେ ଦୁର ବାସ୍ତବବାଦୀ ହେବ ?

୪. ସରକାର ବାଧ୍ୟତାମୂଳକ ଲାଇସେନ୍ସିଂ କାର୍ଯ୍ୟକାରୀ କରିବା ଉଚିତ କି ?

ଶ୍ରୀ ପଲ୍ କହିଛନ୍ତି ଯେ ବାଧ୍ୟତାମୂଳକ ଲାଇସେନ୍ସିଂ ଏକ ସହଜ କାମ ନୁହେଁ । କାରଣ ଯଦିଓ ଏହା ବଳରେ ଉତ୍ପାଦନ ପାଇଁ ଏକ ଫର୍ମୁଲା ମିଳିଥାଏ, ଏହା ସହିତ ଅତ୍ୟନ୍ତ ଜରୁରୀ ହେଉଛି ସକ୍ରିୟ ସହଯୋଗ, ମାନବ ସମ୍ବଳଙ୍କୁ ତାଲିମ, କଞ୍ଚାମାଲ ସଂଗ୍ରହ ଏବଂ ସର୍ବୋତ୍କୃଷ୍ଟ ମାନର ଜୈବ ସୁରକ୍ଷା ଥିବା ଲାବ୍ । ପ୍ରଯୁକ୍ତି ହସ୍ତାନ୍ତର ପ୍ରମୁଖ ବିଷୟ। ଗବେଷଣା କରି ଟିକା ବିକାଶ କରିଥିବା କମ୍ପାନି ପାଖରେ ଏହା ରହିଥାଏ। ଶ୍ରୀ ପଲ୍ ଆହୁରି ମଧ୍ୟ କହିଛନ୍ତି ଯେ ଟିକା ପ୍ରସ୍ତୁତି ଯଦି ଏତେ ସହଜ ହୋଇଥାନ୍ତା ତାହେଲେ ବିକଶିତ ଦେଶଗୁଡ଼ିକ ଏବେ ବି ଟିକା ଅଭାବର ସମ୍ମୁଖୀନ ହେଉ ନଥାନ୍ତେ।

ଶ୍ରୀ ପଲ୍ ଙ୍କୁ ଏକଥା ପଚରା ଯାଇପାରେ ଯେ କେବଳ ଲାଇସେନ୍ସ ବା ବୌଦ୍ଧିକ ସମ୍ପତି ସତ୍ତ୍ୱ ହାସଲ କରିବା ଯଦି ଏକ ଆକର୍ଷଣୀୟ ବିକଳ୍ପ ନୁହେଁ ତେବେ ନିଜେ ଭାରତ ସରକାର କାହିଁକି ବିଶ୍ୱ ବାଣିଜ୍ୟ ସଂଗଠନ ପାଖରେ ଟିକା ଉପରୁ ଏହି ସତ୍ତ୍ୱ ଛାଡ ପାଇଁ ଆବେଦନ କରିଛନ୍ତି ? ତା ଛଡା କୋଭାକ୍ସିନ ପାଇଁ ଲାଇସେନ୍ସର ଭାରତ ସରକାର ଯୁଗ୍ମ ମାଲିକ ହୋଇଥିବା ସତ୍ତ୍ଵେ ଏପର୍ଯ୍ୟନ୍ତ ମାତ୍ର ତିନୋଟି କମ୍ପାନୀକୁ ମଧ୍ୟ ଉତ୍ପାଦନ ପାଇଁ ଲାଇସେନ୍ସ ଦେବାରେ ଏତେ ବିଳମ୍ବ ହେଲା କାହିଁକି ? ଲାଇସେନ୍ସ ବ୍ୟତୀତ ଆଉ ଯେଉଁ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଶ୍ରୀ ପଲ୍ ଦର୍ଶାଇଛନ୍ତି ସେଗୁଡିକୁ ହଟାଇ ଦେଶବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ଗତବର୍ଷ ଠାରୁ ଉଦ୍ୟମ ହେବା ଉଚିତ୍ ନଥିଲା କି ?

୫. କେନ୍ଦ୍ର ତାଙ୍କ ଦାୟିତ୍ବ ରାଜ୍ୟ ଉପରେ ଲଦି ଦେଇଛନ୍ତି କି?

ଏହାର ଉତ୍ତରରେ ଶ୍ରୀ ପଲ୍ ଏକ ଅର୍ଦ୍ଧସତ୍ୟର ଆଶ୍ରୟ ନେଇ ଏତିକି କହିଛନ୍ତି ଯେ କେନ୍ଦ୍ର ଦ୍ବାରା ସଂଗ୍ରହ ହେଉଥିବା ଟିକା ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ସେ ସ୍ବୀକାର କରିଛନ୍ତି ଯେ ରାଜ୍ୟଗୁଡ଼ିକ ଦେଶର ଟିକା ଉତ୍ପାଦନ କ୍ଷମତା ଏବଂ ବିଦେଶରେ ଟିକା ଉପଲବ୍ଧତାର ଅଭାବ ସଂପର୍କରେ ଭଲଭାବେ ଅବଗତ ଅଛନ୍ତି। ତେଣୁ ବିଶ୍ବସ୍ତରୀୟ ଟେଣ୍ଡର ସତ୍ତ୍ବେ ବିଶ୍ବ ବଜାରରୁ କମ୍ ସମୟ ମଧ୍ୟରେ ଟିକା କିଣିବା ରାଜ୍ୟଗୁଡ଼ିକ ପକ୍ଷେ ସହଜ ନୁହେଁ।

ଏହି ସତ୍ୟର ବାକି ଅର୍ଦ୍ଧେକ ହେଉଛି ଯେ କେନ୍ଦ୍ର ସରକାର କେବଳ ମୁଖ୍ୟତଃ ୪୫ରୁ ଅଧିକ ବର୍ଷ ବୟସ୍କଙ୍କ ପାଇଁ ଟୀକା ରାଜ୍ୟମାନଙ୍କୁ ଯୋଗାଉଛନ୍ତି । ଦ୍ବିତୀୟରେ କେନ୍ଦ୍ର ସରକାର ଯଦି ଜାଣିଛନ୍ତି ଯେ ଟିକା ମିଳିବାରେ ଅସୁବିଧା ହେଉଛି ତେବେ ଏପ୍ରିଲ ୧୯ ତାରିଖରେ ନୂଆ ନିତି ଗ୍ରହଣ କରି ସେହି ଦାୟିତ୍ଵ ରାଜ୍ୟ ମାନଙ୍କ ଉପରେ କାହିଁକି ଛାଡି ଦେଇଛନ୍ତି ? ରାଜ୍ୟ ସରକାରମାନେ ଟୀକାକରଣ ପ୍ରକ୍ରିୟାରେ କେନ୍ଦ୍ରର ହସ୍ତକ୍ଷେପ ହଟାଇ ଏହାର ବିକେନ୍ଦ୍ରୀକରଣ ପାଇଁ ଦାବି କରି ଥିଲେ । ସେମାନେ ଟିକା କିଣିବାର ବିକେନ୍ଦ୍ରୀକରଣ ଦାବି କରି ନଥିଲେ । ଟିକା କିଣିବାର ଯେଉଁ ପ୍ରକ୍ରିୟା ଏପ୍ରିଲ ୧୯ ପର୍ଯ୍ୟନ୍ତ ଠିକ୍ ଚାଲିଥିଲା ତାହାକୁ ହଠାତ୍ ବଦଳାଇ ଦିଆଗଲା କାହିଁକି ? କୌଣସି ରାଜ୍ୟ ସରକାରଙ୍କର ବିଦେଶରେ ନିଜସ୍ଵ ଦୁତାବାସ ନାହିଁ ଯେ ସେମାନେ ବିଦେଶରୁ ଟିକା କିଣିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ । ଯେଉଁଠି ଚାହିଦା ଅଧିକ ଓ ବିକ୍ରେତା ଓ ଉତ୍ପାଦନର ସଂଖ୍ୟା କମ୍ ସେଠାରେ ଟେଣ୍ଡରର କୈାଣସି ଅର୍ଥ ନାହିଁ । ଯେତେବେଳେ ଅନେକଗୁଡ଼ିଏ ଆଫ୍ରିକୀୟ ଦେଶ ମିଳିତ ହୋଇ ଓ ଇଉରୋପୀୟ ୟୁନିଅନ୍ ଅନ୍ତର୍ଗତ ବିଭିନ୍ନ ଦେଶ ଏକ ହୋଇ ଟିକା କିଣିବା ପାଇଁ ବିଭିନ୍ନ କମ୍ପାନୀଗୁଡ଼ିକ ସହିତ କଥାବାର୍ତ୍ତା କରୁଛନ୍ତି ସେତେବେଳେ କେନ୍ଦ୍ର ସରକାରଙ୍କ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ଯୋଗୁଁ ଭାରତ ୩୦ରୁ ଅଧିକ ଭାଗରେ ବିଭକ୍ତ ହୋଇ ଏହି କାମ କରୁଛି ଏବଂ ଏହା ଦ୍ବାରା ରାଜ୍ୟମାନେ ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି । ଭାରତ ଇତିହାସରେ ଆଜି ପର୍ଯ୍ୟନ୍ତ ଯେତେଥର ଟିକାକରଣ ହୋଇଛି ତାହା କିଣି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇବା ଦାୟିତ୍ଵ କେନ୍ଦ୍ର ସରକାର ବହନ କରି ଆସିଛି । ସ୍ବାସ୍ଥ୍ୟ ପ୍ରମୁଖତଃ ରାଜ୍ୟର ବିଷୟ ହୋଇଥିବା ବେଳେ ମହାମାରୀ ହେଉଛି କେନ୍ଦ୍ର ସରକାରଙ୍କର ଦାୟିତ୍ଵ । ଟୀକା କିଣିବାରେ ରାଜ୍ୟମାନଙ୍କ ବିଫଳତା କେନ୍ଦ୍ର ଶାସନରେ ବସିଥିବା ଦଳକୁ ରାଜନୈତିକ ଫାଇଦା ଦେଇପାରେ କିନ୍ତୁ ଲୋକଙ୍କ ଜୀବନ ବଞ୍ଚାଇବାରେ ନିଃସନ୍ଦେହରେ ଏହା ଏକ ପ୍ରମୁଖ ଅନ୍ତରାୟ ହେବ ।

୬. ରାଜ୍ୟଗୁଡ଼ିକୁ କେନ୍ଦ୍ର ପର୍ଯ୍ୟାପ୍ତ ଟିକା ଦେଉ ନାହିଁ କି?

ଏହାର ଉତ୍ତରରେ ନୀତି ଆୟୋଗ ସଦସ୍ୟ ଶ୍ରୀ ବିନୋଦ ପଲ୍ କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସ୍ବଚ୍ଛତା ସହିତ ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉଛି। ଏପରିକି ଆଗୁଆ ରାଜ୍ୟଗୁଡ଼ିକୁ ଟିକାର ଉପଲବ୍ଧତା ସଂପର୍କରେ ଜଣାଇ ଦିଆଯାଉଛି। କେନ୍ଦ୍ର ୫୦ ପ୍ରତିଶତ ଟିକା କିଣି ଯୋଗାଇ ଦେଉଥିବାବେଳେ ଅବଶିଷ୍ଟ ୫୦ ପ୍ରତିଶତ ଟିକା ରାଜ୍ୟ ଏବଂ ଘରୋଇ ହସ୍ପିଟାଲ ମାଧ୍ୟମରେ ସଂଗ୍ରହ କରୁଛନ୍ତି। ସବୁ ଜାଣିବା ସତ୍ତ୍ବେ କିଛି ନେତା ବିଭ୍ରାନ୍ତି ସୃଷ୍ଟି କରିଚାଲିଛନ୍ତି ।

ଏହା ଏକ ପରିତାପର ବିଷୟ ଯେ ନିତି ଆୟୋଗର ଜଣେ ସଦସ୍ୟ ଜଣେ ରାଜନୈତିକ ବ୍ୟକ୍ତି ଭାବେ ଆଚରଣ ଦେଖାଇ ନେତାମାନଙ୍କୁ ଦୋଷ ଦେଉଛନ୍ତି । କେନ୍ଦ୍ର ସରକାର କେବଳ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟୀକା ଦେବାର ଦାୟିତ୍ବ ନେଇ ଉତ୍ପାଦନର ୫୦% ନିଜ ପାଇଁ ସଂରକ୍ଷିତ ରଖିଛନ୍ତି । ରାଜ୍ୟମାନଙ୍କ ଦାୟିତ୍ଵରେ ରହିଛି ଯେ ସେମାନେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା କିଣିବେ । ଏହି ବୟସ୍କଙ୍କ ସଂଖ୍ୟା ଅନେକ ବେଶି ଥିବା ସତ୍ତ୍ବେ ଉତ୍ପାଦନର ମାତ୍ର ୨୫% ରାଜ୍ୟମାନଙ୍କ ପାଇଁ ସଂରକ୍ଷିତ ରହିଛି । ଅବଶିଷ୍ଟ ୨୫% ଘରୋଇ ହସ୍ପିଟାଲଗୁଡିକ ପାଇଁ ସଂରକ୍ଷିତ ରହିଛି । ଘରୋଇ ହସ୍ପିଟାଲଗୁଡିକ ଅଧିକ ଦରରେ କିଣିବାକୁ ପ୍ରସ୍ତୁତ ଥିବାରୁ ବର୍ତ୍ତମାନର ନିଅଣ୍ଟିଆ ଉତ୍ପାଦନରୁ ସିଂହଭାଗ ଏବେ ସେମାନେ ନେଇଯାଉଛନ୍ତି । ସ୍ବସ୍ଥତାର ତମାମ ଦାବୀ ସତ୍ତ୍ବେ ଏବେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ଘରୋଇ ହସ୍ପିଟାଲଗୁଡିକ ଟିକାକରଣ ଚଳାଇରଖିଥିବା ବେଳେ ଅଧିକାଂଶ ରାଜ୍ୟ ସରକାରମାନଙ୍କ ପାଖରେ ଟିକା ନଥିବାରୁ ସେମାନେ ହାତ ବାନ୍ଧି ବସିଛନ୍ତି । ମହାମାରୀ ମୁକାବିଲା ପାଇଁ ଦେୟମୁକ୍ତ ସାର୍ବଜନୀନ ଟିକାକରଣ ଜରୁରୀ ଥିବାବେଳେ କେନ୍ଦ୍ର ସରକାରଙ୍କ ତଥାକଥିତ ସ୍ବସ୍ଥତା ଟିକା କ୍ଷେତ୍ରରେ ଏକ ବେପାର ସୃଷ୍ଟି କରିଛି ।

୭. ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପଦେକ୍ଷପ ନେଉନାହିଁ କି ?

ଶ୍ରୀ ପଲ୍ ଦାବୀ କରିଛନ୍ତି ଯେ ବିଶ୍ବର କୈାଣସି ଦେଶ ଏପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦେଇନାହିଁ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପିଲାଙ୍କୁ ଟିକା ଦେବା ନେଇ କୌଣସି ସୁପାରିଶ କରିନାହିଁ।

କିନ୍ତୁ ଶ୍ରୀ ପଲ୍ ଙ୍କ ଦାବୀ ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ବିଭିନ୍ନ ବିଦେଶୀ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ କାନାଡା, ଆମେରିକା, ସିଙ୍ଗାପୁର, ବାହାରିନ୍ ଓ କାତାର ଆଦି ଦେଶମାନଙ୍କରେ ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟିକା ଦେବା ଆରମ୍ଭ ହୋଇସାରିଛି । ଏଥିପାଇଁ ମୁଖ୍ୟତଃ ଫାଇଜର ଟିକା ବ୍ୟବହାର କରାଯାଉଛି । ଅବଶ୍ୟ ଏକଥା ସତ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଛୋଟ ପିଲାଙ୍କ ଟିକାକରଣ ବିଷୟରେ କୈାଣସି ନିର୍ଦ୍ଦେଶ ଦେଇନାହିଁ କାରଣ ବୟସ୍କଙ୍କ ଅପେକ୍ଷା ଛୋଟ ପିଲାଙ୍କ ଉପରେ କରୋନାର କ୍ଷତିକାରକ ମାତ୍ରା କମ୍ ରହିଥାଏ । କିନ୍ତୁ ଆଗରୁ ସୁପାରିଶ ହୋଇଥିବା ଟିକା ପିଲାମାନଙ୍କୁ ଦିଆଯାଇ ପାରିବ ବୋଲି ସଂଗଠନ କହିଛି । ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ (ଏଫ୍.ଡି.ଏ) ଏବଂ ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ (ସି.ଡି.ସି) ୧୨ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଏହି ଟିକା ଦେବା ପାଇଁ ଅନୁମତି ଦେଇ ସାରିଛି । ଅର୍ଥାତ୍ ଏହି ଦୁଇଟି ସଂସ୍ଥା ଦ୍ବାରା ହୋଇଥିବା ନିଦାନିକ ପରୀକ୍ଷଣରୁ ଜଣାପଡିଛି ଯେ ଏହି ଆୟୁବର୍ଗ ପାଇଁ ଟିକା ନିରାପଦ ଓ ପ୍ରଭାବି ଅଟେ । ପରେ ଶ୍ରୀ ପଲ୍ ଟୁଇଟ୍ କରି ଜଣାଇଛନ୍ତି ଯେ ସେ ତାଙ୍କ ପୁର୍ବ ଲେଖାରେ ଭୁଲକ୍ରମେ ଛୋଟପିଲା ଜାଗାରେ ୧୨ ବର୍ଷରୁ କମ ଆୟୁ କଥା ଲେଖିବା ପାଇଁ ଭୁଲି ଯାଇଛନ୍ତି ।‌

The post ଟିକା ରାଜନୀତି – ଅର୍ଦ୍ଧସତ୍ୟ ବନାମ ସମ୍ପୂର୍ଣ ସତ୍ୟ appeared first on Satya Patha.

Read More

Leave a Reply

Your email address will not be published. Required fields are marked *