ଅତ୍ୟାଧୁନିକ ଯୁଗରେ ତିଷ୍ଠି ରହିଛି ପ୍ରାଚୀନ ଗୋସେବା, ଲୋକଙ୍କ ଭିତରେ ବୃଦ୍ଧି ପାଉଛି ଆଗ୍ରହ

ସୁବାସ କୁମାର ତାରଣିଆଁ

କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ । ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ । ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି ।

ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ । ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି । ମାଡ଼ ଭୟରେ ତଥା ଖାଦ୍ୟ ଅନ୍ୱେଷଣରେ ଗାଁ ଛାଡ଼ି ନିକଟସ୍ଥ ବଜାରରେ ଆଶ୍ରୟ ନେଇଥିବା ଷଣ୍ଢଟି ଏ ବୁଢା ବୟସରେ ପାଣି ମୁନ୍ଦିଏ ପିଇବା ପାଇଁ ବଜାରର ଏ ଦୋକାନ, ସେ ଦୋକାନରେ ମୁହଁ ବଢାଉଛି, ହେଲେ ପାଣି ମୁନ୍ଦିଏ ମିଳୁନି ।

ଷଣ୍ଢଟିର ଏ ବିକଳ ରୂପ ଦେଖି ତା ପାଇଁ କିଛି ଚୋକଡ଼ ଆଉ ପାଣି ମୁନ୍ଦିଏ ଗୋଟିଏ ପାତ୍ରରେ ନେଇ ତାକୁ ପିଇବାକୁ ଦେଲାବେଳକୁ, ଜଣେ ପରିଚିତ ବ୍ୟକ୍ତି ଯିଏ ନିଜ ଗାଈଙ୍କ ଠାରୁ ସଂଗ୍ରହ କରିଥିବା ଦୁଗ୍‌ଧକୁ ବଜାରରେ ବିକ୍ରୟ କରିବାକୁ ଆସିଥିଲେ, ସେ ବ୍ୟକ୍ତିଜଣକ ମୋତେ କହିଲେ, ଏଇ ଗୋଟିଏ ଦିନ ଷଣ୍ଢଟିକୁ ପାଣି ମୁନ୍ଦିଏ ଦେଇଦେଲେ ଷଣ୍ଢଟିର ସବୁଦିନ ପାଇଁ କ’ଣ ଶୋଷ ମେଣ୍ଟିଯିବ? ମୁଁ ବି ଗୋସେବା କରୁଛି । ପ୍ରତିଦିନ ସକାଳେ, ମଧ୍ୟାହ୍ନରେ ଓ ସଞ୍ଜରେ ଗାଈମାନଙ୍କୁ ଖାଇବାକୁ ଦିଏ, ସେମାନଙ୍କର ଯତ୍ନ ନିଏ, ସେମାନଙ୍କୁ ବିଲକୁ ଚରାଇବାକୁ ନିଏ ।

ମୋ ଭଳି ତୁମେ ଗୋସେବା କରିପାରିବ ତ? ସେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହିଥିଲି, ଆପଣ ଭଲ ପ୍ରଶ୍ନଟିଏ କରିଛନ୍ତି । ସମୟ ଅଭାବରୁ ହୁଏତ ମୁଁ ଆପଣଙ୍କ ଭଳି ସବୁଦିନ ଗୋସେବା କରିନପାରେ କି ଆପଣଙ୍କ ଭଳି ପୂଣ୍ୟ କାମ କରିବା ମୋର ଉଦ୍ଦେଶ୍ୟ ନୁହେଁ, ଷଣ୍ଢଟିର କରୁଣ ଦୃଶ୍ୟ ଦେଖି, ତାକୁ ପାଣିମୁନ୍ଦିଏ ପିଇବାକୁ ଦେଉଥିଲି । କିନ୍ତୁ ଆପଣ କହିଲେ ମୁଁ ପ୍ରତିଦିନ ଗୋସେବା କରୁଛି, ତାଙ୍କୁ ଖାଇବାକୁ ଦେଉଛି, ସେମାନଙ୍କର ଯତ୍ନ ନେଉଛି, ପ୍ରତିବଦଳରେ ଆପଣ ସେମାନଙ୍କଠାରୁ କିଛି ପାଇବାର ଆଶା ରଖି ସେମାନଙ୍କ
ସେବା କରୁଛନ୍ତି ।

ବ୍ୟବସାୟ ଲକ୍ଷ୍ୟରେ ଅନେକ ଗୁଡ଼ିଏ ଗାଈମାନଙ୍କୁ ରଖି, ସେମାନଙ୍କ ଠାରୁ ଦୁଗ୍‌ଧ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରୁଛନ୍ତି । ଅଧିକ ଦୁଗ୍‌ଧ ସଂଗ୍ରହ ପାଇଁ ଗାଈମାନଙ୍କୁ କୃତ୍ରିମ ଔଷଧ ଓ ମାରାତ୍ମକ ଇଞ୍ଜେକସନ ଦେଇ କମ୍ ଦିନରେ ରୁଗ୍‌ଣ କରି ଦେଉଛନ୍ତି । ପରିଣତ ବୟସ ହୋଇଗଲେ ସେମାନଙ୍କୁ କଂସେଇ ହାତକୁ ଟେକିଦେଉଛନ୍ତି । ଅଣ୍ଡିରା ବାଛୁରୀଟିଏ ଜନ୍ମ ହେଲେ, ବୋଝ ଭାବି ତାକୁ ନେଇ କେଉଁ ଦୁର୍ଗମ ଅଞ୍ଚଳରେ ଛାଡ଼ିଦେଇ ଆସୁଛନ୍ତି ।

ଆପଣଙ୍କର ଗୋସେବା କରିବାର ମାନସିକତା କ’ଣ ଏଇଆ? ଆପଣ ପ୍ରକୃତରେ ଯଦି ଗୋସେବା କରୁଛନ୍ତି, ତେବେ ରାସ୍ତାଘାଟ, ବଜାରରେ ଅତି ଦୟନୀୟ ଅବସ୍ଥାରେ ବୁଲୁଥିବା ବୁଲା ଗୋରୁ, ଗାଈ, ଷଣ୍ଢମାନଙ୍କୁ ନେଇ ସେମାନଙ୍କର ସେବା, ଯତ୍ନ କରିପାରିବ, ସେମାନଙ୍କୁ ଦୁଇଓଳି ଖାଇବାକୁ ଦେଇପାରିବ? ଏହା ପରେ ସେ ବ୍ୟକ୍ତିଜଣଙ୍କ ମୋ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇ ବାଟ କାଟି ଚାଲିଯାଇଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଅସୁରେଶ୍ୱର ଗୋରକ୍ଷଣୀ କେନ୍ଦ୍ର ଓଡ଼ିଶାରେ ଏକ ପ୍ରସିଦ୍ଧ ଗୋସେବା କେନ୍ଦ୍ର ଭାବେ ପରିଚିତ। ୧୯୪୩ ମସିହାର ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ୱର ନଦୀ କୂଳରେ ଜଣେ ହିନ୍ଦୁ ଯୁବକ, ତାଙ୍କର ଜଣେ ମୁସଲମାନ ବନ୍ଧୁଙ୍କ ସହିତ ବସି ଦୁଃଖ ସୁଖ ହେଉଥିବା ସମୟରେ କିଛି ମୁସଲମାନ ଲୋକ ଗୋଟିଏ ଗାଈକୁ ଜୋରଜବରଦସ୍ତ ନଦୀ କୂଳକୁ ନେଇଯାଉଥିଲେ ବୋଧହୁଏ ହତ୍ୟା କରିବା ଉଦ୍ଦେଶ୍ୟରେ । ଆସନ୍ନ ମୃତ୍ୟୁ ସମ୍ପର୍କରେ ସମ୍ଭବତଃ ସେହି ଗାଈଟି ଜାଣିପାରିଥିଲା। ତେଣୁ ସେ ଉଚ୍ଚସ୍ୱରରେ ରଡ଼ି ଛାଡ଼ିଥିଲା ନିଜ ଜୀବନ ବଞ୍ଚାଇବା ଲାଗି । ଗାଈଟିର ଏଭଳି କରୁଣ ଦୃଶ୍ୟ ଦେଖି ଦୁଇବନ୍ଧୁ ଉକ୍ତ ମୁସଲମାନ ଲୋକଙ୍କ ସହିତ ଦୀର୍ଘ ସମୟ ଯୁକ୍ତିତର୍କ, କଥା କଟାକଟି ପରେ ସେମାନେ ଗାଈଟିକୁ ଉଦ୍ଧାର କରିଥିଲେ ।

ସେହିଠାରେ ହିଁ ଏକ ଗୋସେବା କେନ୍ଦ୍ର ସ୍ଥାପନ କରାଯାଇଥିଲା ଯାହାର ନାମ ହେଉଛି ଅସୁରେଶ୍ୱର ଗୋରକ୍ଷଣୀ କେନ୍ଦ୍ର । କିଛି ସହୃଦୟ ବ୍ୟକ୍ତି ଓ ଗୋସେବକ ଏହି ଗୋସେବା କେନ୍ଦ୍ରର ତଦାରଖ କରୁଛନ୍ତି । ଇତି ମଧ୍ୟରେ ଏହି ଗୋସେବା କେନ୍ଦ୍ରଟି ୮୦ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ । କିଛି ପାଇବାର ଆଶା ନଥାଇ ଚାଲିଛି ଏହି ଗୋରକ୍ଷଣୀ କେନ୍ଦ୍ର । ଗୋସେବା ପାଇଁ ଉତ୍ସର୍ଗୀକୃତ ଭାବନା ଥିବା ବ୍ୟକ୍ତିମାନେ ଏଠାରେ ନିୟୋଜିତ ଅଛନ୍ତି, ଯେଉଁମାନେ କି ବିଭିନ୍ନ ଅଞ୍ଚଳ ବୁଲି ବୁଲି ଏହି ଗୋରକ୍ଷଣୀ ପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି ।

ମୁର୍ମୁଷ ତଥା ଦୟନୀୟ ଭାବେ ବୁଲୁଥିବା ଗୋମାତାମାନଙ୍କୁ ଦେଖାଶୁଣା କରିବା ପାଇଁ ଏହି ଗୋରକ୍ଷଣୀକୁ ନେଇଆସନ୍ତି । ଏହା ସମଗ୍ର ଦେଶରେ ଏକ ବିରଳ ଗୋସେବା କେନ୍ଦ୍ର । କାରଣ କେବଳ ଶାରୀରିକ ଅକ୍ଷମ, ଅନ୍ଧ, ଦୁର୍ଘଟଣାଗ୍ରସ୍ତ, ହଡ଼ାବୁଢା, ରୋଗଗ୍ରସ୍ତ ତଥା ବିକୃତ ଗାଈଗୋରୁଙ୍କୁ ଏଠାରେ ରଖାଯାଇଥାଏ । ଏପରିକି ଏହି ଗୋସେବା କେନ୍ଦ୍ରରୁ ଦୁଗ୍‌ଧ ସଂଗ୍ରହ କରାଯାଏ ନାହିଁ କିମ୍ବା ମୁତ୍ର ଓ ଗୋବର ବିକ୍ରି କରାଯାଏ ନାହିଁ । ସେଠାରେ ଜନ୍ମ ନେଉଥିବା ଦାମୁଡ଼ି କିମ୍ବା ଛଡ଼ାଙ୍କୁ ବିକ୍ରି କରାଯାଏ ନାହିଁ ।

ଅନ୍ୟ ଗୋପାଳନ କେନ୍ଦ୍ର ବା ଗୋଶାଳା ଗୁଡ଼ିକ ପରି ଏଠାରେ ଗୋ-ପ୍ରଦର୍ଶନୀ କରାଯାଏ ନାହିଁ । ପବିତ୍ର ଗୋଷ୍ଠାଷ୍ଟମୀରେ ଗୋ ସମ୍ବର୍ଦ୍ଧନା କରାଯାଏ । ଗୋସେବା କ୍ଷେତ୍ରରେ ଉଭୟ ହିନ୍ଦୁ ଓ ମୁସଲମାନ ସଂହତିର ଏକ ଅଦ୍ଭୁତପୂର୍ବ ଅନୁଷ୍ଠାନ ଭାବରେ ସମଗ୍ର ବିଶ୍ୱରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି ଏବଂ ବିରଳ ଗୋତୀର୍ଥ ଭାବେ ହିନ୍ଦୁ ଏବଂ ମୁସଲମାନ ମାନଙ୍କର ଭାବାବେଗ ସହିତ ଜଡ଼ିତ ହୋଇ ରହିଛି ।

ଏହା ଦ୍ୱାରା ରାଜ୍ୟ ଓ ଦେଶର ବହୁ ସ୍ଥାନରେ ଏପରି ଗୋସେବା କେନ୍ଦ୍ର ସ୍ଥାପନ ହୋଇପାରିଛି। ଗାଈଗୋରୁଙ୍କ ପ୍ରତି ହିଂସାଭାବ ଦୂର କରିବା, ଗୋରୁ ଗାଈଙ୍କ ପ୍ରତି ଶ୍ରଦ୍ଧା ଓ ସମବେଦନା ଜଣାଇବା ହିଁ ଏପରି ଗୋସେବା କେନ୍ଦ୍ରର ଉଦ୍ଦେଶ୍ୟ । ଆମ ରାଜ୍ୟରେ ଅନେକ ସ୍ଥାନରେ ବିଭିନ୍ନ ଗୋସେବା କେନ୍ଦ୍ର ସ୍ଥାପନ କରାଯାଇ ରାସ୍ତାଘାଟରେ ଅସହାୟ ଓ ରୋଗାଗ୍ରସ୍ତ ଅବସ୍ଥାରେ ବୁଲୁଥିବା ଗୋରୁ, ଗାଈମାନଙ୍କୁ ନେଇ ସେମାନଙ୍କ ସେବା ଶୁଶ୍ରୁଷା କରାଯାଉଛି । କିଛି ସହୃଦୟ ବ୍ୟକ୍ତି ନିଜ ସାମର୍ଥ୍ୟ ମୁତାବକ ଏହି ଗୋସେବା କେନ୍ଦ୍ରକୁ ଅର୍ଥ ପ୍ରଦାନ କରୁଛନ୍ତି ଯାହାଦ୍ୱାରା ଏହି ଗୋସେବା କେନ୍ଦ୍ର ସୁରୁଖୁରୁରେ ଚାଲୁଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବହୁ ସ୍ୱେଚ୍ଛାସେବୀ ସଂଗଠନ ଅଛନ୍ତି, ଯେଉଁମାନେ କି ରାଜଧାନୀ ରାଜରାସ୍ତାରେ ରୋଗାଗ୍ରସ୍ତ ଓ ଦୁର୍ଘଟଣାଗ୍ରସ୍ତ ଗୋରୁଗାଈମାନଙ୍କୁ ନେଇ ସେମାନଙ୍କୁ ଚିିକିତ୍ସିତ କରାଇଥାନ୍ତି । ସେହିପରି ଅନେକ ସହୃଦୟ ବ୍ୟକ୍ତି ରାତି ପାହିଲେ ରାଜଧାନୀରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଗାଈ, ଗୋରୁ ଓ ଷଣ୍ଢମାନଙ୍କୁ ରୁଟି, କଦଳୀ, ସେଓ ଆଦି ବିଭିନ୍ନ ଖାଦ୍ୟ ପ୍ରଦାନ କରି ସେମାନଙ୍କ ତୃଷ୍ଣା ମେଣ୍ଟାଇଥାନ୍ତି ।

ଯଦି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଇ ଅଧିକ ପରିମାଣରେ ଗୋସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇ ପାରନ୍ତା, ତେବେ ଅସହାୟ ଅବସ୍ଥାରେ ବୁଲୁଥିବା ଗାଈ ଗୋରୁମାନଙ୍କୁ ଏହି ଗୋସେବାକେନ୍ଦ୍ରଗୁଡ଼ିକରେ ଅବସ୍ଥାପିତ କରାଯାଇ ପାରନ୍ତା ଓ ରାସ୍ତାରେ ବୁଲା ଗୋରୁ ଗାଈଙ୍କ ସଂଖ୍ୟା ହ୍ରାସ ପାଇପାରନ୍ତା, ଅନେକ ଦୁର୍ଘଟଣାକୁ ମଧ୍ୟ ରୋକାଯାଇ ପାରନ୍ତା ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର, ମୋ : ୮୩୨୮୮୪୦୨୧୪

Read More

Leave a Reply

Your email address will not be published. Required fields are marked *